ସହର ବିକାଶ ଉପରେ ସଭାପତିଙ୍କ ମାର୍ଗଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା) :ବିଜୁ ଜନତା ଦଳ ଜିଲା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ସହରର ଓଟିରୋଡ଼ସ୍ଥିତ ଜିଲା କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ସବିତା ସାହୁ ଓ ୧୮ଜଣ କାଉନସିଲରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ନବ ନିର୍ବାଚିତ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିବା ସହିତ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ଏକ ସାଧାରଣ ସମ୍ବର୍ଦ୍ଧନା ସଭା ନୁହେଁ ବରଂ ଏକ ଦାୟିତ୍ୱବୋଧତାର କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ଯେଉଁମାନେ ନିର୍ବାଚନରେ ଜିତିଲେ ଓ ଯେଉଁମାନେ ଜିତି ପାରିନାହାନ୍ତି, ଏହି ସଭା ସମସ୍ତଙ୍କ ପାଇଁ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏହି ନିର୍ବାଚନରେ ଟିକଟ ଦେବା ସହିତ ନେତାଙ୍କୁ ପଠାଇଲେ ଓ ସାହାଯ୍ୟ ମଧ୍ୟ କଲେ । ଜନସାଧାରଣ ଆପଣମାନଙ୍କୁ ଭୋଟ ଦେଇ ଜିତାଇଲେ । ଏବେ ଦୁଇଗୋଟି ଗୁରୁଦାୟିତ୍ୱ ଆପଣମାନଙ୍କର । ଯେଉଁମାନେ ଭୋଟ ଦେଇ ଆପଣଙ୍କୁ ଜିତାଇଛନ୍ତି ସେମାନଙ୍କର ଆଶା ପୂରଣ କରିବା ତଥା ୫ବର୍ଷକାଳ ସେବା ଦେବା । ଏଥି ସହିତ ଦଳର ସଙ୍ଗଠନକୁ କିପରି ମଜବୁତ କରିବା ଏ ଦିଗରେ ଆପଣମାନେ ବିଶେଷ ଯତ୍ନବାନ ହେବେ । ଏହି ଦୁଇ ଗୁରୁଦାୟିତ୍ୱ ଆପଣମାନେ ନିଶ୍ଚିତ ତୁଲାଇବେ, ଏହା ଆମ ସମସ୍ତଙ୍କର ବିଶ୍ୱାସ । ସେହିଭଳି ଜିଲା ପରିଷଦ ନିର୍ବାଚନରେ ମଧ୍ୟ ଆମକୁ ବେଶ ସଫଳତା ମିଳିଛି । ବାଲେଶ୍ୱର ସହରବାସୀ ତଥା ଜିଲାବାସୀଙ୍କ ନିକଟରେ ଆମେ ଋଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାରେ ବିକାଶର ଧାରା ବୋହି ଚାଲିଥିବା ବେଳେ ଆଗାମୀ ଦିନରେ ସହରାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯିବ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସହର ବିକାଶର ଚିଠା ମାଗିଥିଲେ । ଜିଲାପାଳ ମଧ୍ୟ ଆମ୍ଭମାନଙ୍କର ମତାମତ ନେଇଥିଲେ । ଏନେଇ ଆମ୍ଭେ ପ୍ରସ୍ତୁତ ଖସଡ଼ା ଦେଇଛୁ । ରିଂ-ରୋଡ଼ ପ୍ରକଳ୍ପ ସମ୍ପାଦନ, ଆଇଟିଆଇ ଛକରୁ ଫାଣ୍ଡିଛକ ଓ ଫାଣ୍ଡିଛକରୁ ହସପିଟାଲ ପର୍ଯ୍ୟନ୍ତ ଫ୍ଲାଏ ଓଭର ବ୍ରିଜ, ଜେଲ ସ୍ଥାନାନ୍ତର ସମେତ ଆଉ ଏକ ମଧ୍ୟ ଏକ ବଡ଼ ପ୍ରକଳ୍ପ ସରକାରଙ୍କଠାରୁ ଅନୁମୋଦନ ପାଇଁ ରହିଛି । ଏନେଇ ଆଗାମୀ ଦିନରେ ଆମେ ଉଦ୍ୟମ ଜାରି ରଖିବୁ । ତେବେ ଆସୁଥିବା ସରକାରୀ ଅନୁଦାନର ତୁରନ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦେବାର ଅଛି । ଅନ୍ୟପକ୍ଷରେ ଯେଉଁମାନେ ନିର୍ବାଚିତ ହୋଇଛନ୍ତି ସେମାନେ ପୌରପାଳିକା ନିୟମ ବାବଦରେ ଅବଗତ ହେବା ଉଚିତ । ପୌରପାଳିକାର ନିଜସ୍ୱ ଆୟ ବଢ଼ିଲେ ହିଁ ସରକାରୀ ଅନୁଦାନ ପରିମାଣ ବୃଦ୍ଧି ପାଇବ । ଆୟର ୧୦ଗୁଣ ଅର୍ଥ ବିକାଶ ପାଇଁ ଆସିପାରିବ । ଏନେଇ ନିର୍ବାଚିତ ଅଧ୍ୟକ୍ଷ ଓ କାଉନସିଲରମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା ସହ ସହର ବିକାଶ ଦିଗରେ ଉଚିତ ପଦକ୍ଷେପ ନେଇ ପାରିବେ ବୋଲି ଜିଲା ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ତେବେ ପୌର ପରିଷଦର ପ୍ରତ୍ୟେକ ବୈଠକ ପୂର୍ବରୁ କେଉଁ ବିଷୟରେ ଆଲୋଚନା ହେବ, ସେନେଇ ନିର୍ବାଚିତ ପ୍ରତିନିଧିମାନେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ, ଜିଲା ବିଜେଡି ଉପ ସଭାପତି ଗୌରୀ କୁମାର ରାଉତ, ଭୂବନାନନ୍ଦ ଦାସ, ଯୁବ ବିଜେଡି ଜିଲା ସଭାପତି ତାପସ ପରିଡ଼ା, ଛାତ୍ର ବିଜେଡି ଜିଲା ସଭାପତି ସିମନ ଦାସମହାପାତ୍ର, ବିଜୁ କୃଷକ ଜନତା ଦଳ ଜିଲା ସଭାପତି ଅଜୟ ସାମଲ, ଜିଲା ବିଜୁ ଅନୁସୂଚିତ ଜାତି ଜନତା ଦଳ ସଭାପତି ଶତ୍ରୁଘ୍ନ ମଲିକ, ଟାଉନ ବିଜେଡି ସଭାପତି ସନତ ଦାସ, ବିଜୁ ମହିଳା ଜନତା ଦଳ ଟାଉନ ସଭାପତି ତଥା କାଉନସିଲର ମୀନା ମହାନ୍ତିଙ୍କ ସମେତ ବିଭିନ୍ନ ୱାର୍ଡ଼ର ନବ ନିର୍ବାଚିତ କାଉନସିଲର ସଲିମା ବିବି, ମିତା ପଟ୍ଟନାୟକ, କବିତା ମୁର୍ମୁ, ମିରାଜ ବାନୋ, ପ୍ରୀତିଲତା ସେଠୀ, ରାଧାକୃଷ୍ଣ ଦାସ, କୈଳାସ ଚନ୍ଦ୍ର ସେଠୀ, ସଂଧ୍ୟାରାଣୀ ଜେନା, ସବିତାରାଣୀ ଦାସ, ଅର୍ପିତା ପ୍ରିଦର୍ଶିନୀ ପଟ୍ଟନାୟକ, ଶୋଭା ମହାପାତ୍ର, ଦେବାଶିଷ ସିଂ, ଶଶିରେଖା ମହାନ୍ତି, ଶେଖ ଆୟୁବ ଖାଁ, କାର୍ତ୍ତିକ ଚନ୍ଦ୍ର ସାହୁ, ରଞ୍ଜିତା ମହାପାତ୍ର ଓ ସମସ୍ତ ଦଳୀୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ