ବାଜିଲା ସମବାୟ ନିର୍ବାଚନ ବିଗୁଲ ୧୦ସମିତି ନିର୍ବାଚନ ପାଇଁ ନିଯୁକ୍ତି ହେଲେ ୫ଅଧିକାରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ସମବାୟ ନିର୍ବାଚନ କମିଶନଙ୍କ ନିର୍ଦେଶ ମତେ ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ଓଡ଼ିଶାର ପ୍ରାୟ ୭ହଜାରରୁ ଅଧିକ ସମିତିରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୧୦ଗୋଟି ସେବା ସମବାୟ ସମିତିରେ ନିର୍ବାଚନ ହେଉଥିବା ବେଳେ ଏଥିପାଇଁ ବ୍ଲକର ୫ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏ ସମ୍ବନ୍ଧରେ ବାଲେଶ୍ଵର-ଭଦ୍ରକ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟରୁ ନିର୍ଦେଶନାମା ଜାରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବ୍ଲକର ବରିଷ୍ଠ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ କିଶୋର ପଣ୍ଡାଙ୍କୁ ତେସିଙ୍ଗା ଓ ଜଳମଣ୍ଡୁଆ ସମିତି ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ରଙ୍କୁ ରହଣିଆ ଓ ସରସଦା ସମିତି ନିର୍ବାଚନ ପରିଚାଳନା ପାଇଁ ନିର୍ଦେଶ ଦିଆଯାଇଛି। ସେହିଭଳି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସଙ୍କୁ ମାଳଦା ଓ ନାରାୟଣପୁର ସମିତିର ନିର୍ବାଚନ ପରିଚାଳନା ଦାୟିତ୍ବ ମିଳିଥିବା ବେଳେ ପ୍ରଫୁଲ୍ଲ ପୁହାଣଙ୍କୁ ନଗୁଆଁ ଓ ବାଲିପୋଖରୀ ସମିତି ପାଇଁ ନିଯୁକ୍ତି ମିଳିଛି। ଅନୁରୂପ ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନନ୍ଦ କିଶୋର ରାଉତଙ୍କୁ ନେରଡ଼ା ଓ ନାଆମୀ ସେବା ସମବାୟ ସମିତି ନିର୍ବାଚନ ପରିଚାଳନା ପାଇଁ ନିର୍ଦେଶ ମିଳିଥିବା ସୂଚନା ମିଳିଛି। ୧୦ଗୋଟି ସମିତି ପାଇଁ ୧୯ ଓ ୨୬ତାରିଖ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସରକାରୀ ଭାବେ ଜଣାଯାଇଛି ।


