ଗୋପାଳଗାଁରେ ହରିହାଟ ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-ସହରର ଗୋପାଳ ଗାଁ ହରିହାଟ କମିଟି ପକ୍ଷରୁ ୫ତାରିଖରୁ ଆରମ୍ଭ ହୋଇଛି ଅଷ୍ଟପ୍ରହରୀ ନାମଯଜ୍ଞ ଓ ହରିହାଟ କାର୍ଯ୍ୟକ୍ରମ । ପ୍ରଥମ ଦିବସରେ ଭାଗବତ ଗୋଷେଇଁଙ୍କୁ ପ୍ରତିଷ୍ଠା କରାଯିବା ସହ ଅଧିବାସ କର୍ମକାଣ୍ଡ ଆରମ୍ଭ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ବିଜ୍ଞ ପଣ୍ଡିତ, ବ୍ରାହ୍ମଣ ଓ ଶାସ୍ତ୍ର ବିଶାରଦମାନେ ଏଥିରେ ଯୋଗ ଦେଇ ବିଶେଷ ନୀତିରେ ଭାଗବତ ପୂଜନ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ହରିକଥା ପ୍ରବଚନରେ ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତିି । ବିଶେଷ କରି ହରିକଥା ଶ୍ରବଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ପ୍ରବଚକଙ୍କ ସୁନ୍ଦର ଶୈଳୀରେ ଉପସ୍ଥାପନ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ହରିକଥା ପ୍ରବଚନ ଜାରି ରହିବ । ପରେ ଅଷ୍ଟମପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଏଥିରେ ଏକାଧିକ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅଖଣ୍ଡ ନାମଯଜ୍ଞ ହେବା ନେଇ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି । । ଭାଗବତ ଭଗବାନଙ୍କୁ ପୂଜାର୍ଚ୍ଚନା ନିମନ୍ତେ ଗୋପାଳ ଗାଁ ସମେତ ବାଲେଶ୍ୱର ସହରର ବିଭିନ୍ନ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ସୋମବାର ଦିନ ନାମଯଜ୍ଞ ପୂର୍ଣ୍ଣାହୁତି ସହିତ ମହୋତ୍ସବ, ନଗର କୀର୍ତ୍ତନ, ଦହିହାଣ୍ଡି ଭଙ୍ଗା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କର୍ମକର୍ତାମାନେ କହିଛନ୍ତି । ଦିଲ୍ଲୀପ ନାୟକ, ପର୍ଶୁରାମ ସାହୁ, ପ୍ରମୋଦ ମହାନ୍ତି, ବିମଳ ପ୍ରସାଦ ପଟ୍ଟନାୟକ, ପ୍ରଦୀପ ଜେନା, ଅନୁପ ସ୍ୱାଇଁ, ଶ୍ରୀଧର ଜେନା, ମନୋରଞ୍ଜନ ନାୟକ, ଦେବାନନ୍ଦ ରାଉତ ପ୍ରମୁଖ ହରିହାଟ କମିଟି କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଜିକୁ ୧୦୨ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


