ଦେଶୀମଦ ପ୍ରସ୍ତୁତି ବେଳେ ଚଢ଼ଉ
ବାଲେଶ୍ୱର, (ସରୋଜ ପଣ୍ଡା) :-ଅବକାରୀ ବିଭାଗ, ଜିଲା ପୁଲିସ ପକ୍ଷରୁ ପୁରୁଣାବାଲେଶ୍ୱର ଅଞ୍ଚଳରେ ମିଳିତ ଚଢ଼ଉ ହୋଇ ବିପୁଳ ପରିମାଣର ପୋଚ ନଷ୍ଟ ସହ ୧୬ଶହ ଲିଟର ଦେଶୀମଦ ଜବତ କରାଯାଇଛି । ପୁରୁଣାବାଲେଶ୍ୱରରେ ବାରମ୍ବାର ଚଢ଼ଉ ସତ୍ତ୍ୱେ ଚୋରା ଦେଶୀମଦ ବ୍ୟାପକ ପ୍ରସ୍ତୁତ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ ହୋଇଥିଲା । ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଜିଲା ପୁଲିସ ମିଳିତ ଭାବେ ଗୁରୁବାର ଭୋର ସମୟରେ ପୁରୁଣା ବାଲେଶ୍ୱରରେ ୩ ଗୋଟି ସ୍ଥାନରେ ଚଢ଼ଉ କରିଥିଲେ । ମଦ ପ୍ରସ୍ତୁତ ପାଇଁ ବସାଯାଇଥିବା ୧୫ ହଜାରରୁ ଅଧିକ ଲିଟର ପୋଚକୁ ନଷ୍ଟ କରିବା ସାଙ୍ଗକୁ ଏହି ଟିମ ୧୬୦୦ ଲିଟର ମଦ ଓ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଥିଲେ । ଏନେଇ ବିଭାଗ ପକ୍ଷରୁ ୩ ଗୋଟି ମାମଲା ରୁଜୁ କରାଯାଇଛି । ତେବେ ଚଢ଼ଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଅଭିଯୁକ୍ତମାନେ ନିଜକୁ ସରକ୍ଷିତ ରଖିପାରିଥିବା ବେଳେ ଏହି ଟିମ କାହାରିକୁ ଗିରଫ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


