ବ୍ୟାପକ ବୃକ୍ଷ ରୋପଣ ପାଇଁ ଯୁବ ସାମ୍ବାଦିକ ସମ୍ବର୍ଦ୍ଧିତ
ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଞ୍ଚଳର ଯୁବ ସାମ୍ୱାଦିକ ତଥା ବୃକ୍ଷପ୍ରେମି ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କୁ ବ୍ୟାପକ ବୃକ୍ଷ ରୋପଣ ନିମନ୍ତେ ପୁରସ୍କୃତ କରାଯାଇଛି । ଭୁବନେଶ୍ଵର ଗୀତ ଗୋବିନ୍ଦ ସଦନରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର୍ ଭଲୁଣ୍ଟାରୀ ୱାର୍କ ପକ୍ଷରୁ ଆୟୋଜିତ ହୋଇଥିବା ୪ର୍ଥ ସୋସିଆଲ ସର୍ଭିସ୍ ଆୱାର୍ଡ଼ ୨୦୨୨ ଅବସରରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି । ସାମ୍ୱାଦିକ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କୁ ସମାଜ ଓ ପରିବେଶ ପାଇଁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ସଂଗଠନ ପକ୍ଷରୁ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରେରଣା ନିର୍ଦ୍ଦେଶକ ଦିଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ରାଜନୀତିଜ୍ଞ ଅମିୟ ପାଣ୍ଡବ, ସମାଜସେବୀ ଗୀତା ଚନ୍ଦନ କର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବିଶ୍ୱାଳଙ୍କୁ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେଚ୍ଛାସେବୀ ଭାବରେ ପ୍ରତିବର୍ଷ ଶତାଧିକ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କୁ ସଚେତନତା କରିବା, ସ୍କୁଲ, କ୍ଲବ ଓ ଖାଲି ସ୍ଥାନରେ ବୃକ୍ଷ ରୋପଣ କରିବା, ଆମ୍ବ ମିଶନ ଓ ତାଳ ମିଶନ ଜରିଆରେ ଆମ୍ବ ଓ ତାଳ ମଞ୍ଜି ସହ ବିଭିନ୍ନ ମଞ୍ଜି ସଂଗ୍ରହ କରି ବିଭିନ୍ନ ଖୋଲା ସ୍ଥାନରେ ବୁଣିବା ସହ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ଶ୍ରୀ ବିଶ୍ଵାଳ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି । ଆଗାମୀ ଦିନରେ ତାଙ୍କୁ ଅଧିକ ପ୍ରୋତ୍ସାହନ ଓ ପ୍ରେରଣା ଯୋଗାଇବା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥିବା ଅନୁଷ୍ଠାନର ସଭାପତି ମିର ଅହମଦ ଅଲ୍ଲୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।


