ସପିଙ୍ଗ ମଲକୁ ଆଣି କିଣିଦେଲେ ସେମାନଙ୍କ ମନ ପସନ୍ଦର ଡ୍ରେସ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆନାଥ ଆଶ୍ରମରେ ରହୁଥିବା ନିଆଶ୍ରା ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିଆରା କାର୍ଯ୍ୟ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି । ସେ ଯେମିତି ଅନାଥାଶ୍ରମରେ ରହୁଥିବା ପିଲାଙ୍କୁ ନେଇ ସପିଙ୍ଗ ମଲରେ ସେମାନଙ୍କ ମନ ପସନ୍ଦର ଡ୍ରେସ କିଣାଇଥିଲେ, ଅନୁରୂପ ବାଲେଶ୍ୱରର ଯୁବ ସଂଗଠକ ବିକ୍ରମ ପଣ୍ଡା ଓ ତାଙ୍କର ସହଯୋଗୀମାନେ ଅନୁରୂପ ନୀତି ଆପଣେଇଛନ୍ତି । ଶ୍ରୀ ପଣ୍ଡା ସୋମବାର ସ୍ଥାନୀୟ କରୁଣା-ଗୌରୀ ଆନାଶ୍ରମରେ ରହୁଥିବା ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସହରର ଏକ ସପିଙ୍ଗ ମଲକୁ ଆଣି ସେମାନଙ୍କ ଇଚ୍ଛାମୁତାବକ ଡ୍ରେସ କିଣିଦେଇଛନ୍ତି ।ଏକକାଳୀନ ଏତେ ପିଲା ଗୋଟିଏ ପରେ ଗୋଟିଏ ଡ୍ରେସ ପସନ୍ଦ କରୁଥିବା ବେଳେ ଏହାକୁ ସେଠାରେ ମଲରେ ଥିବା ଅନ୍ୟାନ୍ୟ ଲୋକମାନେ ବି ସେଠାରେ ଭିଡ଼ ଜମାଇଥିଲେ । ଡ୍ରେସ ପସନ୍ଦ ବେଳେ ଏହି ନିଆଶ୍ରା ପିଲାଙ୍କ ମୁହଁରେ ବେଶ ଖୁସି ପରିଲକ୍ଷିତ ହୋଇଥିଲା । ଏତେବଡ଼ ମଲକୁ ଆସି ମନମୁତାବକ ଡ୍ରେସ କିଣିବାର ସୁଯୋଗ ମିଳିଥିବାରୁ ପିଲାମାନେ ଖୁସୀର ଆତ୍ମହରା ହୋଇଯାଇଥିଲେ । ପରେ ଶ୍ରୀ ପଣ୍ଡା ସେମାନଙ୍କୁ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଖୁଆଇଥିଲେ । ଜୀବନରେ ପ୍ରଥମ ଥର ପାଇଁ ଏଭଳି ସ୍ଥାନକୁ ଆସିଥିବାରୁ ସେମାନେ ବେଶ ଆନନ୍ଦିତ ବୋଲି ପିଲାମାନେ କହିଥିଲେ । ଅନ୍ୟପକ୍ଷରେ ଶ୍ରୀ ପଣ୍ଡା ପିଲାଙ୍କ ଖୁସିକୁ ଦେଖି ଖୁବ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି । ବାପ, ମାଆ ଓ ପରିବାର କ’ଣ ଜାଣି ନଥିବା ଏହି ଶିଶୁଙ୍କ ମୁହଁରେ ହସ ଫୁଟାଇବାରେ ହିଁ ଜୀବନର ସାର୍ଥକତା ଥାଏ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡାଙ୍କର ଏତାଦୃଶ କାର୍ଯ୍ୟକୁ ମଲରେ ଥିବା ଲୋକଙ୍କ ସମେତ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ପିଲାଙ୍କୁ ଆନାଥାଶ୍ରମରୁ ଆଣି ମାର୍କେଟିଂ ସହ ପୁଣି ସେଠାରେ ପହଞ୍ଚାଇବାରେ ହ୍ରିତୀକ ନାୟକ, ସୁଶାନ୍ତ ରଣା, ସୁଶୀଳ ଜେନା, ଅନୁପ ସ୍ୱାଇଁ, ସାଇବା ଅକ୍ତର, କୌଳାସ ବେହେରା ପ୍ରମୁଖ ସହଯୋଗ କରିଥିଲେ ।


