ଜିଏସ୍ଟି କାର୍ଯ୍ୟାଳୟ ଗୃହ ନିର୍ମାଣ ହେଉନି : ଲକ୍ଷ ଲକ୍ଷ ଟଙ୍କା ଭଡା ଗଣୁଛି ବିଭାଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ଜିଏସ୍ଟି) କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇ ଟେଣ୍ଡର ହୋଇସାରି ଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କ ଅପାରଗତା ଓ ପୂର୍ତ୍ତ ବିଭାଗର ନିଷ୍କ୍ରୀୟତାରୁ ପ୍ରାୟ ୨ବର୍ଷ ହେବ ଏହି କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇ ପାରୁ ନାହିଁ । ୧ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟାଳୟର ନୂତନ ଗୃହ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକ ସନ୍ନିକଟ ରଣପଡା ଠାରେ ତିଆରି ହେବାପାଇଁ ନିଷ୍ପତି ହୋଇଅଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଡିସିମିଲ ଜମି ରଣପଡା ଠାରେ ଯୋଗାଇ ଦେବାପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବାରୁ ତିନି ମୁହାଣୀ ରେ ଏକ ଘରୋଇ କୋଠାର ଉପର ମହଲାରେ ଜିଏସ୍ଟି କାର୍ଯ୍ୟାଳୟ ପାଇଁ ବର୍ଷକୁ ପ୍ରାୟ ଲକ୍ଷଧିକ ଟଙ୍କା ଘରଭଡା ବାବଦରେ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଟ୍ୟାକ୍ସ ଆଇନଜୀବି ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ଏନେଇ କୈାଣସି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରକାର ଏହି କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ପୂର୍ତ୍ତବିଭାଗକୁ ଅନୁଦାନ ପ୍ରଦାନ କରି ଥିବାବେଳେ ପୂର୍ତ୍ତ ବିଭାଗ କାହିଁକି ଚୁପ ହୋଇ ବସିିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ପୂର୍ତ୍ତ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।


