ହାଟଡିହି ତହସିଲରେ ମିଳୁନି ଉପଯୁକ୍ତ ସେବା : ଲୋକେ ହିନସ୍ତା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲରେ ଏବେ ସାଧାରଣ ଲୋକ ମାନଙ୍କୁ ଉପଯୁକ୍ତ ସେବା ମିଳିପାରୁନି । ଲୋକମାନେ ଯେ କୌଣସି କାର୍ଯ୍ୟରେ ଗଲେ ବି ଅଧିକାରୀ ଅଥବା କିରାଣୀ ମାନଙ୍କୁ ନପାଇ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ଗୋଟିଏ ଛୋଟ ଛୋଟ କାମ ପାଇଁ ମାସ ମାସ ଧରି ତହସିଲକୁ ଦୌଡିବାକୁ ପଡୁଛି । ହାଟଡିହି ତହସିଲ ଅଧିନରେ ୩୧ଟି ଗ୍ରାମପଞ୍ଚାୟତ ଥିବାବେଳେ ୧୧ଟି ରାଜସ୍ୱ ସର୍କଲ ରହିଛି । ତହସିଲରେ ଜଣେ ତହସିଲଦାରଙ୍କ ସମେତ ଜଣେ ଅତିରିକ୍ତ ତହସିଲଦାର ନିଯୁକ୍ତ ଅଛନ୍ତି । ଅଧିକାଶଂ କର୍ମଚାରୀ ପଦବୀ ମଧ୍ୟ ନିଯୁକ୍ତି ପାଇଛନ୍ତି । କିନ୍ତୁ ଏବେ ଇ ଉପସ୍ଥାନ ବ୍ୟବସ୍ଥା ନଥବବାରୁ କିଏ କେତେବେଳେ ଅଫିସ ଆସୁଛି ଆଉ ଅଫିସରୁ ଯାଉଛି ତାର କିଛି ହିସାବ ମଧ୍ୟ ନାହିଁ । ସକାଳୁଆ ଅଫିସ ହୋଇଥିବାରୁ ଲୋକମାନେ ସକାଳ ୭ଟାରୁ ଅଫିସକୁ ଆସୁଥିଲେବି କାହାକୁ ପାଇପାରୁ ନାହାନ୍ତି । କାରଣ କର୍ମଚାରୀମାନେ ମନଇଛା ଅଫିସ ଆସୁଥିବାରୁ ଲୋକମାନେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ବସି ରହୁଛନ୍ତି । ସେହିପରି ତହସିଲଦାର ପ୍ରାୟତ ସବୁଦିନ ସକାଳୁ ଲଘୁ ଖଣିଜ ଦ୍ରବ୍ୟ ଧରପଗଡ ବାହାନାରେ ପଳାଉଥିବାରୁ ଲୋକମାନେ ଦିନ ଦୁଇଟା ପର୍ଯ୍ୟନ୍ତ ତାଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରି ବସିରହୁଛନ୍ତି । ସେହିପରି ବିଭିନ୍ନ ଜମିବାଡି ସକ୍ରାନ୍ତୀୟ କାମ ଯଥା ଜମି କବଲା, ରେକର୍ଡପତ୍ର ସଂଶୋଧନ, ବିଭିନ୍ନ ସାଟିଫିକେଟ ପାଇଁ ତହସିଲକୁ ଆସିବା ବେଳକୁ ତହସିଲ କର୍ମଚାରୀ ମାନେ ଲୋକଙ୍କୁ ସହଯୋଗ କରୁ ନାହାନ୍ତି । ଦିନେ ତହସିଲଦାର ନାହାନ୍ତି ତ ଆଉ ଦିନେ ଆସିବା ବେଳକୁ କିରାଣୀ ନାହାନ୍ତି । ଏଥିପାଇଁ ଲୋକମାନେ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଗତକାଲି କାର୍ଯ୍ୟଳୟରେ ବସିଥିବା କିଛି ଲୋକଙ୍କୁ ଭେଟିବା ବେଳକୁ ସମସ୍ତେ ତହସିଲ କାର୍ଯ୍ୟାଳୟର କାଳର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିଏ ନିଜ ଜମି ଚିହ୍ନଟ ପାଇଁ ୬ଥର ଆସିଲେଣି ତ ଆଉ କିଏ ଜମି ପଟ୍ଟାପାଇଁ ୪ଥର ଆସି ଫେରିଲେଣି ବୋଲି କହିଥିଲେ । ଏ ସମ୍ପର୍କରେ ତହସିଲଦାର ଦିଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ କାମ ଯେପରି ହେବାକଥା ଚାଲିଛି, କିଛି ଅସୁବିଧା ନାହିଁ ବୋଲି କହିଥିଲେ । ତହସିଲକୁ ଆସୁଥିବା ଲୋକଙ୍କ ଅବସ୍ଥାକୁ ଯିଏ ଆଖିରେ ନଦେଖିଛି ସେ କେବେବି ତହସିଲଦାରଙ୍କ କଥାକୁ ବିଶ୍ୱାଷ କରିବ ନାହିଁ, ତେଣୁ କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ହାଟଡିହି ତହସିଲ ପ୍ରତି ଦୃଷ୍ଟି ଦେବାକୁ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।


