ଆଉ ଶୁଣିବାକୁ ମିଳୁନି ଯୋଡ଼ି ନାଗରା ଓ ମହୁରୀ ର ସ୍ୱର
ନିମାପଡା, ( ସନ୍ତୋଷ ଦାଶ) :-ଦିନ ଥିଲା ଗାଁ ରେ ବିବାହ, ବ୍ରତଘର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ରେ ଯୋଡ଼ି ନାଗରା ଓ ମହୁରୀ ବାଜୁ ଥିଲା । ଏହା ଏକ ମଧୁର ବାତାବରଣ ସୃଷ୍ଟି କରୁଥିବାବେଳେ ଏହାକୁ ବଜାଇ କିଛି କଳାକାର ବି ସେମାନଙ୍କର ପରିବାର ପ୍ରତିପୋଷଣ କରି ଆସୁ ଥିଲେ । ଏବେ ସମୟ ବଦଳିଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାଇକି, ସାଉଣ୍ଡବକ୍ସ, ଡିଜେ ବାଜୁଛି । ଫଳରେ ଯୋଡ଼ି ନାଗରା ଓ ମହୁରୀ ଲୋକବାଦ୍ୟ ହଜିଯିବାକୁ ବସିଛି । ଲୋକମାନେ ବିଶେଷ କରି ଯୁବପୀଢ଼ି ଏହି ପାରମ୍ପରିକ ବାଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁ ନଥିବାରୁ ଏହାକୁ ଜୀବିକା କରି ବଞ୍ଚିବା କଷ୍ଟକର ହୋଇ ପଡୁଛି ବୋଲି କୁହନ୍ତି ନିମାପଡା ବ୍ଲକ ତୁଳସୀପୁର ଗ୍ରାମର ବାଦ୍ୟ କଳାକାର ବଟକୃଷ୍ଣ ଗୋଚ୍ଛାୟତ । ନୂତନ ପିଢ଼ି ଆଉ ଏହି ବାଦ୍ୟ ଶିକ୍ଷାଲାଭ କରି ବାକୁ ଇଚ୍ଛା ପ୍ରକାଶ କରୁନଥିବାରୁ ଏହି ଲୋକବାଦ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି ।ପରମ୍ପରା ଦୃଷ୍ଟିରୁ କିଛି ଦେବାଳୟ ରେ ଯାହା ଏହି ବାଦ୍ୟ ବାଜୁଥିବା ଦେଖା ଯାଉଛି ବୋଲି କୁହନ୍ତି କାକଟପୁର ମଙ୍ଗଳା ମନ୍ଦିର ର ସେବକ କମଳ ଲୋଚନ ଦିକ୍ଷୀତ । ଯଦି ଏହି ବାଦ୍ୟ ବଜାଉଥିବା କଳା କାର ମାନଙ୍କୁ ଚିହ୍ନଟ କରି ସରକାର କଳାକାର ଭତ୍ତା ଯୋଗାଇ ଦିଅନ୍ତେ ତେବେ ଓଡିଆ ସଂସ୍କୃତି ସହିତ ଜଡ଼ିତ ଲୋକବାଦ୍ୟ ଯୋଡ଼ିନାଗରା ଓ ମହୁରୀ ର ମଧୁର ଶବ୍ଦ ତିଷ୍ଠି ରହି ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।


