ବାଲି ବୋଝେଇ ଟିପ୍ପର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଏଫ ସି ଆଇ ଗୋଦାମ ସମ୍ମୁଖ ରେଳ ଫାଟକ ନିକଟରେ ଏକ ବାଲି ବୋଝେଇ ଟିପ୍ପର ଧକ୍କାରେ ଜଣେ ସାଇକେଲ ଆରୋହି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସିତଳାପଲ୍ଲୀ ଗ୍ରାମର ସୋମନାଥ ସ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଓଆର୧୪ଆର ୭୦୯୭ ନଂ ବାଲି ବୋଝେଇ ଟିପ୍ପର ପୁରୁଷୋତ୍ତମପୁର ରୁ ଗୋପାଳପୁର ଅଭିମୁଖେ ଯାଉଥିବା ବେଳେ ଜଗନ୍ନାଥପୁର ଏଫସିଆଇ ଗୋଦାମ ସମ୍ମୁଖ ରେଳ ଫାଟକ ପାର ହେଲା ବେଳେ ସାଇକେଲ ଯୋଗେ ଶୀତଳାପଲ୍ଲୀ ଗ୍ରାମର ଶ୍ରମିକ ସୋମାନଥକୁ ଟିପ୍ପର ଧକ୍କା ଦେଇଥିଲା । ଯାହା ଫଳରେ ଶ୍ରମିକ ଜଣକ ଟିପ୍ପର ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାର ସୂଚନା ପାଇ ଚମାଖଣ୍ଡି ଥାନାଧିକାରୀ ସିତାଂଶୁ ଶେଖର ମାନ୍ଧାତା, ବିଟ୍ ହାଉସ୍ ର ଏଏସଆଇ ଭେଙ୍କଟରାୟ ଦୋରା ଓ ଜିଆରପି ଇନସିପେକ୍ଟର ଜେ. ପି ନାୟକ, ଆରପିଏଫ ପୋଲିସ୍ ପହଂଚି ଘଟଣାର ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଜିଆରପି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି ।