ଲୁଟେରା ଆତଙ୍କ : କୋରିଅର ଗାଡିରୁ ଲୁଟିନେଲେ ୧୦ହଜାର ଟଙ୍କା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଅଧିନ ପ୍ରତିଷ୍ଠିତ ଗ୍ରାମ୍ୟ ବଜାର ମାଳଦା ଠାରେ ବର୍ଷକୁ ବର୍ଷ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି ।ପୂର୍ବ ବର୍ଷ ଏକ ସୁନା ଦୋକାନ ସହିତ ଶାଢ଼ୀ ଦୋକାନ, ମୋବାଇଲ ଦୋକାନରୁ ଲୁଟ ହୋଇଥିବା ବେଳେ ବଜାର ଦେଇଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ମଧ୍ୟ ବିଭିନ୍ନ ସମୟରେ ଲୁଟପାଟ ହେଉଥିବା ଦେଖାଯାଇଛି । ସୂଚନା ଅନୁଯାୟୀ ଆଜି ଏକ ଉଡାନ କମ୍ପାନୀର କୋରିଅର ଗାଡିରୁ୧୦ହଜାର ଟଙ୍କା ଲୁଟ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ବନ୍ତ ବ୍ଲକ ଅଣ୍ଡେଇପଲି ଗ୍ରାମର ବ୍ରଜମୋହନ ଦାସ ଓଆର ୦୧ଡି୫୦୧୭ ଟାଟା ମ୍ୟାଜିକ ଗାଡ଼ିରେ ପାର୍ଶଲ ଧରି ମାଳଦା ବଜାରକୁ ଆସିଥିଲେ । ଦିନ ପ୍ରାୟ ୧୨.୩୦ମିନିଟ ସମୟରେ ଗାଡିକୁ ଠିଆ କରି ଜନୈକ ବ୍ୟବସାୟୀଙ୍କୁ ପାର୍ଶଲ ଦେବାପାଇଁ ଯାଇଥିବା ବେଳେ ଗାଡି ଚାଳକ ସେକ ଇଜୁସ ଗାଡିରୁ ମଧ୍ୟ ବାହାରି ଆସିଥିଲେ । ଠିକ ଏହି ସମୟରେ ଏକ ମୋଟର ସାଇକେଲରେ ଦୁଇ ଜଣ ଯୁବକ ଆଖି ପିଛୁଳାକେ ଆସି ପାର୍ଶଲ ଗାଡି ଭିତରୁ ୧୦ହଜାର ଟଙ୍କା ଥିବା ଏକ ବ୍ୟାଗ ଧରି ପଳାଇ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଲୁଟେରା ମାନେ ଯାଜପୁର ଆଡକୁ କ୍ଷିପ୍ର ଗତିରେ ପଳାଇଥିବା ବେଳେ କିଛି ବ୍ୟବସାୟୀ ସେମାନଙ୍କ ପିଛା କରିଥିଲେ ସୁଦ୍ଧା କୌଣସି ସୁରାକ ପାଇନଥିଲେ। ଏନେଇ କୋରିଅର ଆଣିଥିବା ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ