ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଗୋପିନାଥପୁର ପଞ୍ଚାୟତବାସୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୦୫ ମସିହାରୁ ଗୋପିନାଥପୁର ପଞ୍ଚାୟତ ନିକଟରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଆସୁଥିଲା । ଏଠାରେ ଜଣେ ଏ.ଏନ୍.ଏମ୍ ନିଯୁକ୍ତି ପାଇ ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିଲେ । ସଂପୃକ୍ତ ଏ.ଏନ୍.ଏମ୍ ଅବସର ନେବା ପରେ ଗତ ୪ ବର୍ଷ ହେବ ଏଠାରେ କେହି ସ୍ଥାୟୀ ସେବିକା ନିଯୁକ୍ତି ପାଇନଥିଲେ । ପରେ ପଞ୍ଚାୟତବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ଏଠାରେ ଜଣେ ଏ.ଏନ୍.ଏମ୍ଙ୍କୁ ନିଯୁକ୍ତି ଦିଆଯାଇଛି । ପୁରୁଣା ଗୃହଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଟେଣ୍ଡର ହେବା ପରେ ସଂପୃକ୍ତ ଠିକାଦାର ପୁରୁଣା ଗୃହକୁ ଭାଙ୍ଗି ଦେଇଥିବା ବେଳେ ଅଦ୍ୟାବଧି ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନାହାନ୍ତି । ଫଳରେ ରୋଗୀ ସେବାରେ ବାଧା ସୃଷ୍ଟି ହୋଇଛି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହଟିକୁ ଯଥାଶିଘ୍ର ନିର୍ମାଣ କରିବାକୁ ସମସ୍ତ ଜନପ୍ରତିନିଧି, ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡିଙ୍କ ସମେତ ପଞ୍ଚାୟତବାସୀ ଦାବୀ କରିଛନ୍ତି ।


