ପ୍ରଶାସନର ମନମାନି ମଧୁବାବୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାଜ୍ୟ ସରକାର ମଧୁବାବୁ ଭତ୍ତା ଯୋଜନା ଜରିଆରେ ସିଧାସଳଖ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରୁଥିବା ବେଳେ ଏଥିରେ ପ୍ରଶାସନ ମନମାନି କରୁଥିବା ଦେଖାଯାଉଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ୨୩ଗୋଟି ପଞ୍ଚାୟତରେ ମୋଟ ୭୪୫୦ଜଣ ହିତାଧିକାରୀ ମଧୁବାବୁ ଭତ୍ତା ପାଉଛନ୍ତି। ନିୟମ ଅନୁସାରେ ପ୍ରତ୍ୟକ ମାସର ୧୫ତାରିଖ ଅର୍ଥାତ ଜନସେବା ଦିବସରେ ସମସ୍ତଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ରହିଛି। ଯଦି ଉକ୍ତ ଦିନ ଛୁଟି ପଡିଥାଏ ତାହେଲେ ପରଦିନ ସମସ୍ତ ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦେବାର ବ୍ୟବସ୍ଥା ରହିଛି । ପରିତାପର ବିଷୟ ଆଜି ୨୨ତାରିଖ ହୋଇଥିଲେ ସୁଦ୍ଧା ଏଯାଏଁ କୌଣସି ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇନାହିଁ। ଏପଟେ ଅସହାୟ ବୃଦ୍ଧ ବୃଦ୍ଧା ମାନେ ଦୈନିକ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଏ ବାବଦରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀଙ୍କ ମତାମତ ନେବାରୁ ଭତ୍ତା ବାବଦୀୟ ସମସ୍ତ ଅର୍ଥ ବ୍ଲକ ପ୍ରଶାସନ ନିକଟକୁ ଠିକ ସମୟରେ ପଠା ଯାଇଥିବା କହିଛନ୍ତି । ବିଡ଼ିଓଙ୍କ ଦସ୍ତଖତ ବିନା ଟଙ୍କା ଉଠି ପାରୁନଥିବାରୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସଫେଇ ଦେଇଛନ୍ତି । ସେ ଯାହାବି ହେଉ ଅସହାୟ ବୃଦ୍ଧ ବୃଦ୍ଧା ମାନେ କିପରି ଠିକ ସମୟରେ ଭତ୍ତା ପାଇବେ ଏହା ଉପରେ ନୂତନ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।