ସୁସ୍ଥ ହେଲେ ମହାବହୁ

ପୁରୀ, (ଯୁଗାବ୍ଦ ନ୍ୟୁଜ) : ଶନିବାର ଦିନ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ବର୍ତମାନ ସୁସ୍ଥ ହୋଇଛନ୍ତି ବୋଲି ଗଜପତି ମହାରାଜାଙ୍କ ନିକଟରେ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସମେତ ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦସବୁ ସାଙ୍ଗରେ ଘେନି ଘଣ୍ଟଛତ୍ର ଓ କାହାଳି ନେଇ ଅପରାହ୍ନରେ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀନଅରଠାରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ହୋଇଥିବା ସାମଗ୍ରୀ ସବୁକୁ ଦର୍ଶନ କରିବାପରେ ଶ୍ରୀଜୀଉମାନେ ବର୍ତମାନ ସୁସ୍ଥ ହୋଇଛନ୍ତି ବୋଲି ଜାଣିଥିଲେ । ଶ୍ରୀନଅର ପକ୍ଷରୁ ସମସ୍ତ ଦଇତାମାନଙ୍କ ମସ୍ତକରେ ନିୟମ ଅନୁଯାଇ ଶାଢୀ ବନ୍ଧାଯାଇଥିଲା । ସମସ୍ତ କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ ହେବାପରେ ଦଇତାମାନେ ଶ୍ରୀମନ୍ଦିର ଅଭିମୁଖେ ପୁନର୍ବାର ଫେରିଥିଲେ । ଶନିବାର ବିଳମ୍ବିତ ରାତିରେ ଦଇତାପତିମାନେ ଘଣାଲାଗି ନୀତି ଆରମ୍ଭ କରିବାକୁ ଥିବା ବେଳେ ରବିବାର ସକାଳେ ଏହା ଶେଷ ହେବ ବୋଲି ଜଣାପଡିଛି । ଚଳିତ ମାସ ବୁଧବାର ୨୯ ତାରିଖରେ ଠାକୁରମାନଙ୍କର ନେତ୍ରୋତ୍ସବ ହେବାପରେ ଦିଅଁମାନେ ଅଣସର ପିଣ୍ଡିରେ ଶ୍ରଦ୍ଧାଳୁମାନଙ୍କୁ ନବଯୌବନ ଦର୍ଶନ ଦେବା ପରେ ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ