ସେବା ସମବାୟ ସମିତି ସଂପାଦକଙ୍କ ଅନିୟମିତତା ଅଭିଯୋଗ ପରେ ସଭାପତି ନିର୍ବାଚନ ବାତିଲ : ଚାଷୀ ଅସନ୍ତୋଷ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅଧିନସ୍ଥ ଟି . ଗୋବିନ୍ଦପୁର ସେବା ସମବାୟ ସମିତି ସଂପାଦକଙ୍କ ଅନିୟମିତତା ଅଭିଯୋଗ ପରେ ସୋମବାର ଦିନ ସଭାପତି ନିର୍ବାଚନ ବାତିଲ ହୋଇଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବରନୁଯାୟୀ , ଆଦିବାସୀ ଅଧ୍ୟୁଷିତ ଏହି ସେବା ସମବାୟ ସମିତିର ପରିଚାଳନା , ସମବାୟ ବିଭାଗ ପକ୍ଷରୁ ରିହାତି ଦରରେ ସାର ବିହନ କୀଟନାଶକ ଯୋଗାଣ , କୃଷିରଣ ସହ ବୀମା ସହାୟତା , ରଣଛାଡ ସମେତ କୌଣସି ବିଭାଗୀୟ ଯୋଜନାର ସୁଫଳ ଏଠିକାର ଚାଷୀ ପାଉନଥିବା , ସମ୍ପାଦକ ଜଣକ କାର୍ଯ୍ୟାଳୟ ଆସୁନଥିବା , ଚଳିତ ସମବାୟ ନିର୍ବାଚନରେ ଚଞ୍ଚକତା କରିଥିବା ଭଳି ଅନେକ ସମସ୍ୟା ନେଇ ଚାଷୀମାନେ ପୂର୍ବରୁ ସମବାୟ ବିଭାଗ ଉପନିବନ୍ଧଂକ , ସହକାରୀ ନିବନ୍ଧକ ଜିଲ୍ଲା ପ୍ରଶାସନରେ ଅଭିଯୋଗ କରିଥିଲେ । ଏପରିକି ସମ୍ପାଦକଙ୍କ ବ୍ୟାପକ ଅନିୟମିତତାର ତୀବ୍ର ପ୍ରତିବାଦ ମଧ୍ୟ କରିଥିଲେ । ତେବେ କିଛି ସୁଫଳ ନ ମିଳିବାରୁ ସମବାୟ ସମିତି ଅଫିସରେ ତାଲା ପକାଇଥିଲେ । ଏହାପରେ ସମ୍ପାଦକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କିଛି ଚାଷୀଙ୍କ ନାମରେ ଥାନରେ ଏତଲା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଶତାଧିକ ଚାଷୀ ଥାନାକୁ ଆସି ସମ୍ପାଦକଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଗତକାଲି ସମବାୟ ସମିତି ସଭାପତି ନିର୍ବାଚନ ପାଇଁ ସମ୍ପାଦକ ଶିବରାମ ମହାକୁଡ ଓ ନିର୍ବାଚନ ଅଧିକାରୀ କାଳୀ ଚରଣ ନାୟକ କାର୍ଯ୍ୟାଳୟରେ ଉପସ୍ଥିତ ଥିବାବେଳେ ନାମାଙ୍କନ ପତ୍ର ଦାଖଲର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିଲା । ଫଳରେ ସଭାପତି ନିର୍ବାଚନ ବାତିଲ ହୋଇଥିବା ସହ ଏଥିନେଇ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ନାୟକ ପ୍ରକାଶ କରିଛନ୍ତି । ସହକାରୀ ନିବନ୍ଧକ ଆଞ୍ଚଳିକ ସମବାୟ ଅଧିକାରୀ ଥାନା ଅଧିକାରୀଙ୍କ ମିଳିତ ଆଲୋଚନା ଚାଷୀଙ୍କ ଅଭିଯୋଗ ପ୍ରତି ପଦକ୍ଷେପ ପ୍ରତିଶୃତି ପରେ ଲୋକେ ତାଲା ଖୋଲିଥିଲେ । ତେବେ ସୋମବାର ସଭାପତି ନିର୍ବାଚନ ଥିଲା ବେଳେ ଏଥି ନିମିତ୍ତ କୌଣସି ନାମାଙ୍କନ ପଡ଼ିନାହିଁ । ବେନିୟମ ଭାବେ ୮ ଜଣଙ୍କୁ ସମ୍ପାଦକ ନିଜେ ବାଛିଥିବା ବୋର୍ଡ ଅସିଦ୍ଧ କରି ପୁନର୍ବାର ସମବାୟ ନିର୍ବାଚନ ଅଧିନିୟମ ଅନୁସାରେ ୧୫ ଜଣ ବୋର୍ଡ ସଭ୍ୟଙ୍କ ନିର୍ବାଚନ କରି ନିୟମ ପ୍ରକାରେ ସଭାପତି ନିର୍ବାଚନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି । ଅନ୍ୟ କ୍ରମରେ ବେନିୟମ କାର୍ଯ୍ୟ ସହ ବହୁ ଅନିୟମିତତାରେ ଲିପ୍ତ ଥିବା ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ବଦଳି କରାଯିବାକୁ ଦାବି ଜୋର ଧରିଛି ।


