ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ କରିବା ଏକ ଦଣ୍ଡନୀୟ ଅପରାଧ  । ରାଗିଂ ହେବା ଦ୍ବାରା ଛାତ୍ର କିମ୍ବା ଛାତ୍ରୀ ମାନସିକ ଚାପଗ୍ରସ୍ତ ହୋଇ ଥାଆନ୍ତି  । ଅପବାଦକୁ ସହି ନପାରି ଶେଷରେ ନିଜ ଅମୂଲ୍ୟ ଜୀବନକୁ ହାରି ଥାଆନ୍ତି  । ଏଭଳି କାର୍ଯ୍ୟ କଳାପ ଯୋଗୁଁ ପିତାମାତା ନିଜର ସନ୍ତାନକୁ ହରାଇ ସବୁଦିନ ସକାଶେ ମାନସିକ ଅଶାନ୍ତି ମଧ୍ୟରେ ଗତି କରି ଥାଆନ୍ତି  । ଏହିପ୍ରକାର ଜଘନ୍ୟ କାଣ୍ଡକୁ ରୋକିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ ମାନଙ୍କୁ ଜଣାଇଛନ୍ତି  । ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି  । ଜିଲ୍ଲାପାଳ ଶ୍ରୀ ପରିଡା ଉପସ୍ଥିତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ ମାନଙ୍କୁ ଜଣାଇଥିଲେଯେ, ରାଗିଂ ବିରୁଦ୍ଧରେ ନିଜ ନିଜ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି   । ଉଭୟ ଛାତ୍ରାବାସ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଗଣଙ୍କ ଉପରେ ନଜର ରଖାଯିବ  । ରାଗିଂ ରୋକିବାରେ ଛାତ୍ରାବାସର  ଓ୍ବାର୍ଡନ ମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଛି  । ଶିକ୍ଷାନୁଷ୍ଠାନ ଗୁଡିକରେ ରହିଥିବା କମିଟିକୁ ଅଧିକ କ୍ରିୟାଶୀଳ କରିବାକୁ କୁହାଯାଇଛି  । ବିଶେଷ କରି ସଂଧ୍ୟା ଓ ରାତ୍ର ସମୟରେ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି  । ଛାତ୍ରନେତାଙ୍କୁ ଅଧିକ ସଚେତନ କରିବା ସହିତ ସେମାନଙ୍କ ଠାରୁ ଲିଖିତ ପ୍ରତିଶୃତି ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି  । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାୟ ଜଣାଇଥିଲେଯେ, ଶିକ୍ଷାନୁଷ୍ଠାନ ଗୁଡିକ ରାଗିଂ ସମ୍ପର୍କିତ ସୂଚନା ନିକଟସ୍ଥ ପୋଲିସ୍ ପ୍ରଶାସନକୁ ଅବଗତ କରାନ୍ତୁ  । ସମସ୍ତ ପୋଲିସ ଅଧିକାରୀଗଣ ଏଭଳି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ତତକ୍ଷଣାତ୍ ପଦକ୍ଷେପ ଗ୍ରହଣ କରିବେ  । ତେଣୁ ବିନା ଦ୍ବିଧାରେ ଅନୁଷ୍ଠାନ ଗୁଡିକ ପୋଲିସର ସହାୟତା ନେଇପାରିବେ  । ସରକାରୀ ନିର୍ଦ୍ଦେଶାବଳୀକୁ ପାଳନ କରି ଛୁଟିଦିନ ବା ସଂଧ୍ୟା ସମୟରେ ଛାତ୍ରାବାସ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବାପାଇଁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମୁଖ୍ୟ ସେମାନଙ୍କ ବିଦ୍ୟାଳୟରେ ଚାଲୁଥିବା ଗତିବିଧି ଉପରେ ନଜର ରଖନ୍ତୁ  । ରାଗିଂ ସମ୍ପର୍କିତ କୌଣସି ସୂଚନା ପାଇଲେ ତୁରନ୍ତ ନିକଟସ୍ଥ ପୋଲିସ ର ସହଯୋଗ ନେବାକୁ ପରାମର୍ଶ ଦେଇଥିଲେ  । ଅଧ୍ୟାପକଗଣ ଶ୍ରେଣୀରେ ଏବଂ ଶ୍ରେଣୀ ବାହାର ପରିସର ପରିଦର୍ଶନ କରନ୍ତୁ  । ବିନା ସଂକୋଚରେ ରାଗିଂର ସୂଚନା ଦେବା କ୍ଷେତ୍ରରେ ନିଜ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ କିମ୍ବା ପୋଲିସ୍ କୁ ଛତ୍ରଛାତ୍ରୀଗଣ ଜଣାଇବାକୁ କୁହାଯାଇଛି  । ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ଆଡମିଶନ୍ କରିବା ସମୟରେ ଉଭୟ ଅଭିଭାବକ ଏବଂ ଛାତ୍ର/ଛାତ୍ରୀଙ୍କ ଠାରୁ ରାଗିଂରେ ସଂଶ୍ଲିଷ୍ଟ ହେବେ ନାହିଁ ବୋଲି ଲିଖିତ ଆକାରରେ ରଖିବାକୁ ପରାମର୍ଶ ଦିଆଯାଇଛି  । ଉଭୟ ସଚେତନତା ଓ ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନ ର ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି  ଓ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠି,ଉଚ୍ଚ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ଏସ୍. ସୁଧାକର, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ରଞ୍ଜିତ କୁମାର ରଞ୍ଜନ, ପାରଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ, ଏମ୍.କେ.ସି.ଜି. ମେଡିକାଲ କଲେଜର ଡିନ୍ ପ୍ରମୁଖ ଉପସ୍ଥିତ ଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ