ପାଣିକାଦୁଆ ଭରା ସୀମାବର୍ତ୍ତୀ ରାସ୍ତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥ ପାଳଦାବାଙ୍କ ଠାରୁ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ରାତିପାହିଲେ ଏହି ରାସ୍ତା ଦେଇ ଭଦ୍ରକ ଓ ଯାଜପୁର ଜିଲ୍ଲାର ହଜାର ହଜାର ଜନସାଧାରଣ ବିଭିନ୍ନ ଯାନବାହନରେ ଯାତାୟତ କରିଥାନ୍ତି । ଦୀର୍ଘ ୫ବର୍ଷ ହେବ ରାସ୍ତାଟି ସମ୍ପୂର୍ଣ୍ଣ ୧୩କିମି କଂକ୍ରିଟ କରଣ ହୋଇଯାଇଥିବାରୁ ଯାତାୟତ ପ୍ରାୟତଃ ସୁବିଧା ହୋଇଯାଇଛି । ଏହାସତ୍ତ୍ୱେ ରାସ୍ତାର ସୀମାବର୍ତ୍ତି ଶେଷ ଭାଗ ମଣିନାଥପୁର ନିକଟ ବୈତରଣୀ ନଦୀ ବନ୍ଧରୁ ବଲ୍ଲବୀଘାଟ ସେତୁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ସଂଲଗ୍ନ ୧୦୦ମିଟର ପଥ ଏବେ ପାଣି କାଦୁଅରେ ଭରି ଯାଇଛି । ବିଶେଷ କରି ବିଭିନ୍ନ ଭାରି ଯାନ ଚଳାଚଳ ସହ ବର୍ଷା ଲାଗି ରହିବା ଫଳରେ ମୋରମ, ବାଲି ମିଶା ରାସ୍ତାଟି ଏବେ ସ୍ଥାନେ ସ୍ଥାନେ ଛୋଟ ବଡ଼ ଖାଲରେ ପରିପୂର୍ଣ୍ଣ ହୋଇଛି। ଯଦିଓ ବୈତରଣୀ ନଦୀ ବନ୍ଧ ଉପରେ ଉକ୍ତ ରାସ୍ତାଟି ନିର୍ମାଣ ହୋଇଛି କିନ୍ତୁ ଏହାକୁ ପୂର୍ତ୍ତ ବିଭାଗ ରାସ୍ତା ସହିତ ସଂଯୋଗ କରାଯାଇଛି । ପ୍ରତ୍ୟେକ ଦିନ ସାଇକେଲ ଓ ମୋଟର ସାଇକେଲରେ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ହୁଅନ୍ତୁ ବା ଅଟୋ, ରିକ୍ସାରେ ଯାଉଥିବା ଯାତ୍ରୀ ହୁଅନ୍ତୁ ସମସ୍ତେ ଏହି ସ୍ୱଳ୍ପ ରାସ୍ତା ଅତିକ୍ରମ କରିବାକୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏଭଳି ହେଉଛି ଯେ ଗାଡି ଓ ସାଇକେଲରୁ ପଥ ଚାରୀ ପଡିଯାଇ ଆହତ ହେଉଥିବା ଜଣାଯାଇଛି । ସୃଷ୍ଟି ହୋଇଥିବା ଖାଲ ଗୁଡିକରେ ବର୍ଷାପାଣି ଜମିବା ଯୋଗୁ ସଠିକ ରାସ୍ତା ନିର୍ଣ୍ଣୟ ପାଇଁ ଗାଡି ଚାଳକ ଦ୍ଵନ୍ଦରେ ପଡି ଯାଉଛନ୍ତି । ତେଣୁ ଗାଡି ଗୁଡିକ ଅତି ବିପଦପୂର୍ଣ୍ଣ ଭାବେ ରାସ୍ତା ପାରି ହେଉଥିବା ବେଳେ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଉଛି । ଏପଟେ ଉକ୍ତ ବନ୍ଧ ରାସ୍ତାକୁ ଜଳସମ୍ପଦ ବିଭାଗ ଦୃଷ୍ଟି ଦେଉଛି ନା ପୂର୍ତ୍ତ ବିଭାଗ ଅଧିକାରୀଙ୍କ ନଜରରେ ଏହା ଆସୁଛି । ଯେଉଁଥିପାଇଁ ୧୩କିମି କଂକ୍ରିଟରେ ଯାଇ ସୁଦ୍ଧା ଶହେ ମିଟର ଜରାଜୀର୍ଣ୍ଣ ରାସ୍ତାରେ ଲୋକମାନେ ପାରି ହୋଇ ବଡ଼ କଷ୍ଟ ଅନୁଭବ କରୁଛନ୍ତି । ଏଭଳି ଜରାଜୀର୍ଣ୍ଣ ପଥରେ ଲୋକମାନେ ମାସ ମାସ ଧରି ଯାତାୟତ କରୁଛନ୍ତି । ତେଣୁ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜୀବୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ