ପ୍ରଧାନମନ୍ତ୍ରୀ ଆବାସ ନମିଳିବାରୁ ଆତ୍ମହୂତି ଦେବେ ହିତାଧିକାରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଢିଆ ଗ୍ରାମର ଅକ୍ଷୟ କୁମାର ସେଠୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନମିଳିବାରୁ ସେ ସ୍ୱାଧିନତା ଦିବସରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତି ଦେବେ ବୋଲି ବିଡିଓଙ୍କୁ ଲିଖିତ ଜଣାଇଛନ୍ତି । ପ୍ରକାଶ ଯେ, ଅକ୍ଷୟ ଜଣେ ଗରିବ ଦଳିତ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଦୈନନ୍ଦିନ ପରର ମୂଲ ଲାଗି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଅର୍ଥାଭାବରୁ ସେ ପକ୍କା ଘର ଖଣ୍ଡିଏ ତିଆରି କରିପାରୁନାହାନ୍ତି । ଛୋଟ ଚାଳ ଛପର ଘରେ ପରିବାର ସହିତ ରହୁଛନ୍ତି । ବର୍ଷା ଦିନେ ଘରଟି ସନ୍ତସନ୍ତିଆ ହୋଇ କାନ୍ଥ ଗୁଡିକ ଖସି ପଡୁଛି । ଏସଂପର୍କରେ ସେ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ଗତ ତା-୪-୧-୨୧ ରିଖରେ ବ୍ଲକ ସମ୍ମୁଖରେ ଅନଶନରେ ବସିଥିଲେ । ମାର୍ଚ୍ଚ ମାସ ସୁଦ୍ଧା ଘର ମିଳିବ ବୋଲି ସେତେବେଳେ ବିଡିଓ ପ୍ରତିଶୃତି ଦେଇଥିଲେ । ମାତ୍ର ପ୍ରତିଶୃତି ଅନୁଯାୟୀ ତାଙ୍କୁ ଘର ମିଳିଲା ନାହିଁ । ଫଳରେ ସେ ତା-୩-୮-୨୧ ରିଖରେ ବ୍ଲକ ସମ୍ମୁଖରେ ଆତ୍ମହୂତି ଦେବେ ବୋଲି ଲିଖିତ ଜଣାଇଥିଲେ । ବିଡିଓ ପୂର୍ବଭଳି ତାଙ୍କୁ ଘର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ତାଙ୍କୁ ଘର ମିଳିନଥିଲା । ଫଳରେ ସେ ଗତ ତା-୨୧-୧୦-୨୧ ରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ । ସେତେବେଳେ ଜିଲାପାଳ ଅନଶନ ସ୍ଥଳରେ ପହଞ୍ôଚ ମାର୍ଚ୍ଚ ମାସ ସୁଦ୍ଧା ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଥିଲେ । ହେଲେ ଜିଲା ପ୍ରଶାସନ କୌଣସି ଦାୟୀତ୍ୱ ନେଲା ନାହିଁ । ଫଳରେ ସେ ନିରାଶ ହୋଇ ଆତ୍ମହୂତି ଭଳି ପଦକ୍ଷେପ ଆପଣାଇଛନ୍ତି । ଅଗଷ୍ଟ ୧୨ ସୁଦ୍ଧା ତାଙ୍କୁ ପକ୍କା ଘରଟିଏ ମଞ୍ଜୁର କରାଇବା ପାଇଁ ସେ ବିଡିଓଙ୍କୁ ନିବେଦନ କରିଛନ୍ତି ।


