ସଦଭାବନା ଦିବସ ଅବସରରେ ଶପଥ ପାଠ
ବାଲେଶ୍ୱର, (ସରୋଜ ପଣ୍ଡା):ସଦଭାବନା ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶପଥ ପାଠ କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭାଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ବିଭାଗ ଓ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଜାତି, ଧର୍ମ, ସମ୍ପ୍ରଦାୟ, କ୍ଷେତ୍ର ଓ ଭାଷାର ଭେଦଭାବ ବିନା ସମସ୍ତ ଭାରତୀୟଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ଏବଂ ହିଂସାର ଆଶ୍ରୟ ନ ନେଇ ସମସ୍ତ ପ୍ରକାର ମତଭେଦକୁ ଆଲୋଚନା ଓ ସାମ୍ବିଧାନିକ ବିଧି ମୁତାବକ ସମାଧାନ ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ସହକାରୀ ଜିଲାପାଳ ସ୍ୱାଗତିକା ଦାସ, ଜିଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ, କର୍ମଚାରୀ, ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସିଡିପିଓ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


