ନିର୍ଯାତନା ମାମଲା ରୋକିବା ପାଇଁ ରାଜ୍ୟଠାରୁ ଲୋଡ଼ିଲେ ସହଯୋଗ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମାଜରେ ସମତା ଆଣିବାଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର. ରାମଦାସ ଅଠାୱଲେ କହିଛନ୍ତି।ସୋମବାର ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।ଡକ୍ଟର. ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହପାଇଁ ଅଢ଼େଇଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି, କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା।୨୦୨୧-୨୨ ଏହି ସଂଖ୍ୟା୨୪୨୮କୁ ବୃଦ୍ଧିପାଇଛି।ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନକରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ୨୮୨୮ ନିର୍ଯାତନା ମାମଲାରୁଜୁ ହୋଇଥିଲା।୨୦୨୧-୨୨ରେ ୨୭୬୮ ନିର୍ଯାତନା ମାମଲା ଦାୟର ହୋଇଛି।ଜାତିଗତ ନିର୍ଯାତନା ମାମଲା ରୋକିବାଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡକ୍ଟର. ଅଠାୱଲେ ଜୋରଦେଇ କହିଥିଲେ। ଦିବ୍ୟାଙ୍ଗ, ବୟସ୍କ, ବିଧବାମାନଙ୍କର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ୨୦ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଏବଂ ବିଧବାମାନଙ୍କୁ ମାସିକ ୫୦୦ଟଙ୍କାର ପେନସନ ମିଳୁଛି।ପେନସନ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତାରହିଛି ବୋଲି ସେ କହିଥିଲେ। ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ଓଡ଼ିଶାରେ ଏସବୁ ଯୋଜନାର କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ତଥ୍ୟଅନୁଯାୟୀ, ସାରାଦେଶରେ ୪୬.୨୫କୋଟି ପିଏମ ଜନଧନ ଯୋଜନା ଆକାଉଣ୍ଟ ଖୋଲାଯାଇଥିବାବେଳେ ଓଡ଼ିଶାରେ ଏବେ ସୁଦ୍ଧା ୧କୋଟି ୯୧ଲକ୍ଷ ୨୦ହଜାର ଆକାଉଣ୍ଟ ଖୋଲାଯାଇଛି। ସେହିପରି, ପିଏମ ମୁଦ୍ରା ଯୋଜନା ଅଧୀନରେ ଏବେ ସୁଦ୍ଧା ଦେଶରେ ୩୬.୩୩ କୋଟି ଲୋକ ଲାଭାନ୍ବିତ ହୋଇଛନ୍ତି।ଅନ୍ୟପଟେ ଓଡ଼ିଶାରେ ଏହି ଯୋଜନାର୨କୋଟି ୪୫ଲକ୍ଷ ୫୦ହଜାର ହିତାଧିକାରୀ ରହିଛନ୍ତି। ପିଏମ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୫୨ଲକ୍ଷ ୯୪ହଜାର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ଆବାସଯୋଜନା (ସହରାଞ୍ଚଳ)ରେ ଏବେ ସୁଦ୍ଧାଦେଶରେ ୬୨.୨୨ଲକ୍ଷ ଲୋକଙ୍କୁ ବାସଗୃହ ମିଳିଛି। ଓଡ଼ିଶାରେ ଏହି ଯୋଜନାରେ ୧ଲକ୍ଷ ୮ହଜାର ହିତାଧିକାରୀ ଲାଭବାନ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଆବାସଯୋଜନା (ଗ୍ରାମୀଣ)ରେ ସାରାଦେଶରେ ୨କୋଟି ୪୦ଲକ୍ଷ ୩୬ହଜାର ଲୋକ ଲାଭାନ୍ବିତ ହୋଇଥିବାବେଳେ ଓଡ଼ିଶାରେ ୧୮ଲକ୍ଷ ଗ୍ରାମୀଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି। ସାମ୍ବାଦିକସମ୍ମିଳନୀପୂର୍ବରୁ, କେନ୍ଦ୍ର ସାମାଜିକନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ଏସବୁ ଯୋଜନାର ଅଗ୍ରଗତି ନେଇ ସେ ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।


