ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ପଦଯାତ୍ରା ଅକ୍ଟୋବର ୧୧ରୁ
ବାଲେଶ୍ୱର, (ସରୋଜ ପଣ୍ଡା):ପର୍ଯ୍ୟଟନ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ଅନ୍ତରାୟ ହୋଇଥିବା ନେଇ ଅଭିିଯୋଗ ଉଠାଇଛି ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ । ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ସରକାର ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ପରିଷଦ ଜନ ସଚେଜତନତା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ସ୍ଥାନୀୟ ହୋଟେଲ ଶ୍ରୀହରି ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଆବାହାକ ଡ. ସନ୍ଦୀପ ପଟ୍ଟନାୟକ, ସଭାପତି କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ ସଭାପତି ଅରଜିତ ଘୋଷାଲ, ସାଧାରଣ ସମ୍ପାଦକ ଗୌତମ ସେଠୀ, ଉପଦେଷ୍ଟା ଅସିତ ଦାସ, ଚନ୍ଦନ କୁମାର ଶତପଥୀ, ରଣଜିତ ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ପ୍ରଭୃତି ଜିଲାର ପର୍ଯ୍ୟଟନ କ୍ଷେତ୍ରର ଦୟନୀୟ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ପଡ଼ୋଶୀ ରାଜ୍ୟମାନଙ୍କରେ ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସାଙ୍ଗକୁ ଆଖପାଖ ଅଞ୍ଚଳର ଉନ୍ନତି ପରିଲକ୍ଷିତ ହୋଇଛି । ମାତ୍ର ସରକାରୀ ଅବହେଳା ଯୋଗୁଁ ଉତ୍ତର ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଦୟନୀୟ ହୋଇପଡ଼ିଛି । ଉଲ୍ଲେଖନୀୟ ବିଷୟ ହେଲା ବ୍ରିଟିଶ ଅମଳର ରାସଗୋବିନ୍ଦୁର ଏୟାର ଷ୍ଟ୍ରିପର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହୋଇ ଚାଲିଥିଲେ ବି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏ ଦିଗରେ ଯତ୍ନବାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଫଳରେ ବାହାର ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇ ଚାଲିଛି ବୋଲି ପରିଷଦର କର୍ମକର୍ତ୍ତମାନେ ଆରୋପ ଉଠାଇଛନ୍ତି । ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି ସହ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରୁ ମୟୂରଭଂଜରୁ ସଚେତନ ପଦଯାତ୍ରା ଆରମ୍ଭ କରାଯିବ । ଏଥି ସହିତ ଆସନ୍ତା ୨୦୨୩ ଜାନୁଆରୀ ୧୨ ତାରିଖ ଯୁବ ଦିବସରୁ ପର୍ଯ୍ୟଟନ ରଥ ପରିକ୍ରମା ପାଇଁ ପରିଷଦ ନିଷ୍ପତି ନେଇଥିବା ସେମାନେ କହିଛନ୍ତି । ଉତ୍ତର ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏଥିରେ ଅଧିକରୁ ଅଧିକ ଯୁବଗୋଷ୍ଠୀ ସାମିଲ ହେବାକୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି ।


