କାଲାମ ମେମୋରିଆଲ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ. କାଲାମ ଜୟନ୍ତୀ ଉନ୍ମୋଚିତ ହେଲା
ବାଲେଶ୍ୱର, (ସରୋଜ ପଣ୍ଡା):କାଲାମ ମେମୋରିଆଲ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଷ୍ଟେସନଛକ ସ୍ଥିତ ଡ. କାଲାମଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ପରେ ଗାନ୍ଧୀସ୍ମୃତି ଭବନ ପରିସରରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏହି ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଡ. କାଲାମଙ୍କର ରାଷ୍ଟ୍ରପତି ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଚେରିଟେବୁଲ ଟ୍ରଷ୍ଟର ଦାୟିତ୍ୱବୋଧତା କାର୍ଯ୍ୟ ସମାଜର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ରାଷ୍ଟ୍ର ପ୍ରତି ବିଶେଷ ଅବଦାନ ଥିବା ଡ. କାଲାମଙ୍କର ବାଲେଶ୍ୱର ସହ ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ପର୍କ ଆଜି ଜିଲାକୁ ବିଶ୍ୱସ୍ତରୀୟ ପରିଚୟ ଦେଇଛି ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ପ୍ରଫେସର ଡ. କମଳ ପ୍ରସାଦ ମହାପାତ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଡ. କଲାମଙ୍କ ନୀତି ଆଦର୍ଶ ସମ୍ପର୍କରେ କଥା ରଖିଥିଲେ । ଚଳନ୍ତା ଗାଡ଼ିରେ ଯୋଗ କରି ବିଶ୍ୱସ୍ତରୀୟ ପରିଚିତି ପାଇଥିବା କର୍ଣ୍ଣେଲ ଡ. ଲକ୍ଷ୍ମୀଧର ଭୂୟାଁ, କବି ପ୍ରଶାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ବିଜ୍ଞାନ ପତ୍ରିକା ‘ଅଗ୍ନିଡେଣା’ ଉନ୍ମୋଚନ କରିଥିଲେ । ଏଥି ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ.କାଲାମଙ୍କ ଜୀବନାଦର୍ଶ ଓ ସଫଳତାକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଗ୍ନିଡେଣାର ସମ୍ପାଦକ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଟ୍ରଷ୍ଟର ସମ୍ପାଦକ ସଂଜୀବ କୁମାର ନାୟକ ଏଥିରେ ବିବରଣୀ ଉପସ୍ଥାପନ କରିଥିବା ବେଳେ ଅଧ୍ୟାପକ ନିରଂଜନ ଜେନା ଅଗ୍ନିଡେଣା ପତ୍ରିକା ପ୍ରକାଶନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଯଶୋଦା ନନ୍ଦନ ଆଶ, ସତ୍ୟନାରାୟଣ ସାହୁ, ଉତ୍ତମ କୁମାର ବାରିକ, ହେମନ୍ତ କୁମାର, ବିଚିତ୍ରା ପ୍ରଧାନ, ବନ୍ଦନା ବିଶ୍ୱାଳ, କିଶୋର ଦାସ, ଭାବଗ୍ରାହୀ ମହାନ୍ତି, ଶୁଭଶ୍ରୀ ଦାସ, ସୁପ୍ରିୟା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


