ମହିଳା ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ୧ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପ୍ରତାରଣା କରିବା ଅଭିଯୋଗରେ ବିବାହିତ ପୁରୁଷ ତଥା କଲେଜ ପଢୁଆ ପୁଅର ବାପ ଗିରଫ ହୋଇ ଜେଲ୍ ଯିବା ଘଟଣା ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟବସ୍ତୁ ପାଲଟିଛି।ଘଟଣାରୁ ପ୍ରକାଶ ସ୍ଥାନୀୟ ଥାନା ଅଞ୍ଚଳର ଜନୈକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହିତ ଆଳିପିଙ୍ଗଳ ଗ୍ରାମର ବାପି ସେନାପତିଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା।ବାପି ଉକ୍ତ ମହିଳାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଭୁବନେଶ୍ୱର ନେଇ ସେଠାରେ ଭଡ଼ାଘରେ ରଖି ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଦ୍ବାରା ସେ ମହିଳା ଗର୍ଭବତୀ ହୋଇଥିବା ଅଭିଯୋଗ କରିଛନ୍ତି।ଗତ ୪/୫ ଦିନ ତଳେ ସଂପୃକ୍ତ ମହିଳା ବାପିଙ୍କୁ ବିବାହ କରିବାକୁ ଜିଦ୍ କରି ଆଳିପିଙ୍ଗଳ ଗ୍ରାମକୁ ଯାଇ ବାପି ସେନାପତିଙ୍କ ଘର ଆଗରେ ଧାରଣାରେ ବସିଥିଲେ।ମାତ୍ର ସେହି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଧମକ ଚମକ ଦେଇ ସେଠାରୁ ବିଦା କରିଦେଇଥିଲେ। ସେଠାରୁ ନ୍ୟାୟ ନପାଇ ସଂପୃକ୍ତ ମହିଳା ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ବାପିକୁ ନିମାପଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।


