ସଢ଼ା ପଞ୍ଚାୟତରେ ଆବାସ ଯେଜନା ଦୁର୍ନୀତିର ତଦନ୍ତ କଲେ ଲୋକାୟୁକ୍ତ ଟିମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଆବାସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଲୋକାୟୁକ୍ତରେ ହୋଇଥିବା ଅଭିଯୋଗର ତଦନ୍ତ କରିଛନ୍ତି ଲୋକାୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତ ଟିମ । ଜଂଗଲ ବିଭାଗର ଡେପୁଟି ଡାଇରେକ୍ଟର ସସ୍ମିତା ଲେଙ୍କା ଆଜି ବ୍ଲକରେ ପହଞ୍ଚିବା ପରେ ବ୍ଲକର କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ, ପିଇଓ ମହେଶ୍ୱର ସାହୁ, ପ୍ରମୁଖ ତାଙ୍କ ସହିତ ଶିଳପୋଖରୀ ଗ୍ରାମକୁ ଯାଇ ଗ୍ରାମର ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟିବା ସହିତ ପଚରା ଉଚୁରା କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଫେରି ନୋଟିସ ପାଇଥିବା କିଛି ଅଭିଯୋଗକାରୀଙ୍କୁ ଭେଟି ତାଙ୍କର ମତାମତ ନେଇଛନ୍ତି । ଅଭିଯୋଗ କାରୀ ଅନନ୍ତ ଚରଣ ପହିଙ୍କ କହିବାନୁଯାଇ ପଞ୍ଚାୟତର ହୋଇଥିବା ସମସ୍ତ ଦୁର୍ନୀତିର ପ୍ରମାଣପତ୍ର ଆମେ ଲୋକାୟୁକ୍ତଙ୍କୁ ଦେଇଛୁ । ତେଣୁ ଆଉ କିଛି ଅଭିଯୋଗ ନାହିଁ । ଉପଯୁକ୍ତ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶା ରଖିଥିବା କହିଛନ୍ତି ।


