ଜିଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲାସ୍ତରୀରୟ ବିଶ୍ୱ ମତ୍ସ୍ୟ ଦିବସ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ସୋମବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଉଦଘାଟନ କରିବା ସହିତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱର ଜିଲାର ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ । ତେବେ ଏହି ଚାଷରେ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତି ପାଇଁ ବିଶେଷ ଗୁରୁତ୍ୱ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ନୀଳ ବିପ୍ଳବ ସୃଷ୍ଟି ପାଇଁ କାର୍ଯ୍ୟକାରୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବହୁବିଧ ଯୋଜନା ସମ୍ପ୍ରତି ଗ୍ରାମାଞ୍ଚଳ ଆର୍ଥିକ ସ୍ଥିତି ସୁଧାରରେ ସହାୟକ ହୋଇପାରିଛି ବୋଲି କହିଥିଲେ । ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ରହିଲେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱର ଜିଲା ସର୍ବଦା ରାଜ୍ୟର ୧ ନଂ ସ୍ଥାନରେ ରହିିପାରିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଥିଲେ । ଜିଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ଜିଲାରେ କାର୍ଯ୍ୟକାରୀ ମତ୍ସ୍ୟଚାଷ ସମ୍ପର୍କିତ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସ୍ୱାଗତିକା ସାହୁ, ନାବାର୍ଡ଼ ଜିଲା ବିକାଶ ପ୍ରବନ୍ଧକ ତାପସ ରଂଜନ ପ୍ରଧାନ, ଜିଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ବନମାଳି ସାହୁ, ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ମୃତ୍ତିକା ସଂରକ୍ଷଣ ବିଭାଗ ଜିଲା ନିର୍ଦ୍ଦେଶକ ଶିବ ଚରଣ ସେଠୀ, ଲିଡ ବ୍ୟାଙ୍କ ମ୍ୟାନେଜର ବିଶ୍ୱଜିତ ଶତପଥୀ, ମିଶନଶକ୍ତି ଜିଲା ସଂଯୋଜକ ବିଶ୍ୱଜିତ ପରିଡ଼ା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ମତ୍ସ୍ୟ ଦିବସ ପାଳନର ଆଭିମୁଖ୍ୟ, ମତ୍ସ୍ୟଚାଷ ପାଇଁ ଉପଲବ୍ଧ ସରକାରୀ ପ୍ରୋତ୍ସହନ ଓ ମତ୍ସ୍ୟ ଚାଷର ବିଭିନ୍ନରୋଗର ପ୍ରତିଷେଧ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ମତ୍ସ୍ୟ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲାର ଅଗ୍ରଣୀ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା । ସାମୁଦ୍ରିକ ମତ୍ସ୍ୟ ବିଭାଗ ଅତିରିକ୍ତ ମତ୍ସ୍ୟ ଅଧିକାରିଣୀ ସ୍ୱୀକୃତି ସ୍ୱରୂପା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ସ୍ୱର୍ଣ୍ଣରେଖା ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ