କୋଦଳା ଏନଏସି ନିର୍ବାହୀ ଅଧିକାରୀଣୀଙ୍କୁ ହାଇକୋର୍ଟ ଛାଟ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାଉନସିଲ୍ ସାଧାରଣ ବୈଠକ କରାଇ ନଦେବା ନେଇ ଷଡଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରୀଣୀ। ମୁନିସିପାଲିଟି ଆଇନ୍ ଓ ନିୟମର ଧଜିଆ ଉଡାଇ ଅଯଥା ହସ୍ତକ୍ଷେପ କରିଥିଲେ ଏବଂ ବୈଠକକୁ ବିଧାୟକ, ସାଂସଦଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିଧାୟିକାକୁଂ ଡକା ଯାଇନି କହି ବୈଠକ ହୋଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ନିର୍ବାହୀ ଅଧିକାରୀଣୀ। ତେବେ ନିର୍ବାହୀ ଅଧିକାରୀଣୀଙ୍କ ଏଭଳି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପ୍ରଶାସନକୁ ତଥ୍ଯ ପ୍ରମାଣ ଆଧାରରେ ନିର୍ବାଚିତ କାଉନସିଲର ଓ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହେବା ସହ ଏନେଇ ଏକ ମାମଲା ଦାୟର କରିଛନ୍ତି। ମାମଲା ଗୁରୁତର ଥିବା ଏବଂ ମୁନିସିପାଲିଟି ଆଇନ କୁ ଜଣେ ସରକାରୀ ଅଧିକାରୀ ଜାଣିଶୁଣି ଧଜିଆ ଉଡାଇଥିବା ଅନୁଭବ କରି ହାଇକୋର୍ଟ ଏନେଇ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି। ଏନ୍ଏସି ର ବୈଠକକୁ ଅଧ୍ଯକ୍ଷ ହିଁ ପରିଚାଳିତ କରିବେ ଏବଂ ଏଥିରେ କୌଣସି ଅଧିକାରୀ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଆଗାମୀ ୧୦ ଜାନୁୟାରୀରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗଞ୍ଜାମ ଜିଲ୍ଲା ଅର୍ବାନ୍ ପ୍ରୋଜେକ୍ଟ ଡାଇରେକ୍ଟର, ଜିଲ୍ଲାପାଳ, ତହସିଲଦାର ତଥା କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀଙ୍କ ସମେତ ବିଭାଗୀୟ ସଚିବଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିଛନ୍ତି ହାଇକୋର୍ଟ। ସୂଚନା ଯୋଗ୍ୟ ଯେ, ଗତ ୩୦ ସେପ୍ଟେମ୍ବର ରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସାଧାରଣ ବୈଠକ ପାଇଁ ନୋଟିସ୍ କରିଥିଲେ ମଧ୍ୟ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀଣୀ ଉଦେଶ୍ୟ ମୂଳକ ଭାବେ ବୈଠକ କରାଇ ନଦେବାକୁ ଚାଲ୍ ରଚିଥିବା ଅଭିଯୋଗ କରିଥିଲେ ୮ କାଉନସିଲର ଓ ଅଧ୍ଯକ୍ଷ। ଯାହାକୁ ନେଇ ବିବାଦ ଉପୁଜିଥିଲା ।କୋଦଳା ଏନଏସି ନିର୍ବାହୀ ଅଧିକାରୀଣୀ ଜଣେ ତହସିଲଦାର ହୋଇଥିବାରୁ ଆଇନ୍ କୁ ଧଜିଆ ଉଡାଇବାକୁ ନେଇ ଅନେକ ନାପସନ୍ଦ କରିଥିଲେ। ତେବେ ହାଇକୋର୍ଟରେ ମାମଲା ପରେ ଘଟଣା ଏବେ ରୋଚକ ମୋଡରେ ପହଞ୍ଚିଛି। ଏନେଇ ନିର୍ବାହୀ ଅଧିକାରୀଣୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।


