ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶିବାନୀ ଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଧରଣୀଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଓଡ଼ିଶା ଶିକ୍ଷା ବିକାଶ ସମିତି ପୂର୍ବୋତ୍ତର ସମ୍ଭାଗ ସଭାପତି ଡ. ନରୋତ୍ତମ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷାଦାନ ଧାରା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ସମ୍ପାଦକ ଦେବେନ୍ଦ୍ର କୁମାର ରାଉତ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ପୁରଜିତ ମୁନି ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଏଥି ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ଉପ-ସଭାପତି ଯୋଗେନ ଚନ୍ଦ୍ର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତି ସଭ୍ୟା ସୌନ୍ଦର୍ଯ୍ୟଳକ୍ଷ୍ମୀ ମହାନ୍ତି, ବନିତା ସାହୁ, ସଭ୍ୟ ଅନିରୁଦ୍ଧ ବେହେରା, ହରିଶ୍ଚନ୍ଦ୍ର ରଣା, ସନାତନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।