ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର ଓ ନୂଆ ଶୈକ୍ଷିକ ଭବନ କୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ର ଆବକ୍ଷ ପ୍ରତିକୃତି କୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ। ବିଶ୍ଵ ବିଦ୍ୟାଳୟ ର ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯକ୍ରମ ର ମଧ୍ୟ ଶୁଭାରମ୍ଭ କରିଥିଲେ। ସଭାରେ ମୁଖ୍ୟ ଅତିଥି ରୂପେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନିତ ଅତିଥି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ,ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି , ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ବିଶ୍ଵବିଦ୍ୟାଳୟ ରେଜିଷ୍ଟର ଡ ପିତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତୀୟ ସଙ୍ଗୀତ ଗାନ କରାଗଲା ଓ ସମସ୍ତେ ଛିଡ଼ା ହୋଇ ସଙ୍ଗୀତକୁ ସମ୍ମାନ କରିଥିଲେ। କୁଳପତି ଶ୍ରୀ ଶତପଥୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ବିଭିନ୍ନ ପଦକ୍ଷେପ ର ସୂଚନା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ଆହରଣ ସହିତ ମନର ଶୁଦ୍ଧି,ଆତ୍ମାର ଡାକ ଓ ସର୍ବୋପରି ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ବଡ଼ କଥା। କଳାହାଣ୍ଡି ଶବ୍ଦ ର ବିଶ୍ଳେଷଣ କରିବାକୁ ଯାଇ କହିଲେ, କାଳିଆ ର ହାଣ୍ଡି ହେଉଛି କଳାହାଣ୍ଡି। ଯୋଉ ହାଣ୍ଡିରେ ରୋଷେଇ ହୋଇ କାଳିଆ ଙ୍କ ପାଖରେ ଭୋଗ ଲାଗେ ଓ ସେ ମହାପ୍ରସାଦ ପାଲଟେ, ସେ ହେଉଛି କଳାହାଣ୍ଡି ର ପରିଚୟ। ଏହି ଜଗତ ମଧ୍ୟରେ ଭାରତ ପରି ଦେଶ ନାହିଁ। ଭାରତ ମଧ୍ୟରେ ଓଡ଼ିଶା ପରି ରାଜ୍ୟ ନାହିଁ। କଳାହାଣ୍ଡି ର ପ୍ରଗତି ଏବଂ ଏହା ସହିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଅବଦାନ ପାଇଁ ସେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଙ୍କ ପ୍ରଶଂସା କରି ଛାତ୍ର ଛାତ୍ରୀଙ୍କୁ ନିଜର ଭବିଷ୍ୟତ କୁ ସୁଦୃଢ଼ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିବା ସହ ମାନବିକ ସମ୍ବେଦନଶୀଳତା କୁ ପାଥେୟ କରିବା ପାଇଁ ଆହ୍ବାନ କରିଥିଲେ।ଏହି କାର୍ଯ କ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ କଳାହାଣ୍ଡି ର ଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ,କୃଷି,ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।କଳାହାଣ୍ଡି ଏସ ପି ଶ୍ରୀ ଅଭିଳାଷ ଜି ଲାଇବ୍ରେରୀ ଛାତ୍ର ମାନଙ୍କ ଜୀବନ ରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରେ ଓ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଗୁରୁତ୍ଵ ଦେଇ ଜଣେ ସଫଳ ମଣିଷ ହେବାକୁ ପରିଶ୍ରମ କରନ୍ତୁ ବୋଲି କହିଥିଲେ । ସଭାପୂର୍ବରୁ ଏନ୍ ସି ସି କ୍ୟାଡେଟ ମାନେ ସମ୍ମାନ ଗାର୍ଡ ପ୍ରଦାନ କରିଥିଲେ। ଶେଷ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ସଭାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଛାତ୍ର ଛାତ୍ରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେକଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ସଭାକାର୍ଯ୍ୟ ସମାପ୍ତ ପରେ ରାଜ୍ୟପାଳ ସର୍କିଟ ହାଉସ ହଲ୍ ରେ ଦିବା ୧୨.୩୦ ମି ସମୟରେ ଜିଲ୍ଲା ଅଧିକାରୀଙ୍କୁ ନେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା ସମସ୍ତଙ୍କୁ ନିରାପଦ ପାନୀୟ ଜଳ, ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା, ଛାତ୍ରାବାସ,ସ୍ୱଚ୍ଛ ଭାରତ , ଶୌଚାଳୟ, ଉତ୍କେଲା ଏୟାରଷ୍ଟ୍ରିପ ଓ ଅନ୍ୟାନ୍ୟ ପ୍ରଗତି ଉପରେ ସମୀକ୍ଷା କରିଥିଲେ।ଏଥିରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସ୍ ପି ଅଭିଳାଷ ଜି, ସି ଡ଼ି ଓ ଜିଲ୍ଲା ପରିଷଦ ସଚିନ ପାୱାର, ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ଅପରାହ୍ନ ୩.୦୦ ଘଣ୍ଟା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ” ଚାଲ୍ ଦେଖମା ଆମର କଳାହାଣ୍ଡି” ର କଳାହାଣ୍ଡି କନ୍କ୍ଲେଭ ୨୦୨୨ ଶୀର୍ଷକ ଆଲୋଚନାଚକ୍ରରେ ମହାମହିମ୍ ରାଜ୍ୟପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ ଆଇ ଜି ତିହାର ଜେଲ୍ ,ଶ୍ରୀ ଜୟଦେବ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଆଇ ଏ ଏ ତଥା ପୂର୍ବତନ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଚିନ୍ମୟ ବସୁ ତଥା ପି ଟି ଆଇ ସମ୍ପାଦକ ଶ୍ରୀ ରାଜେଶ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।ଆବାହକ” ଚାଲ୍ ଦେଖମା ଆମର କଳାହାଣ୍ଡି “ଶ୍ରୀ ଦେବେନ୍ଦ୍ର ବିଶୀଙ୍କ ଆୟୋଜନରେ ଅନୁଷ୍ଠିତ ଦିନବ୍ୟାପୀ ଆଲୋଚନାଚକ୍ର ରେ କଳାହାଣ୍ଡିର ବିକାଶ ମୁଖ୍ୟତଃ କୃଷି ଓ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଓ ଜୀବିକା,ସଂସ୍କୃତି ଓ ପରମ୍ପରା, ନୂତନ ଆବିଷ୍କାର ଓ ଉଦ୍ୟୋଗିକରଣ,ଯୁବ ଦକ୍ଷତା ଓ କର୍ମ ନିଯୁକ୍ତି ଉପରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବକ୍ତାଗଣ ଆମନ୍ତ୍ରିତ ହୋଇ ଆଲୋଚନା ରେ ଭାଗ ନେଇଥିଲେ।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟ ରେ କଳାହାଣ୍ଡିର କ୍ରମବିକାଶ ରେ ଲୋକଙ୍କ ସହଭାଗିତା ଓ ପରିଶ୍ରମର ପ୍ରଶଂସା କରିଥିଲେ ଏବଂ ଏହି ଜିଲ୍ଲା ଜଗନ୍ନାଥଙ୍କ ହାଣ୍ଡି ସଦୃଶ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସହ ପ୍ରେମ ଓ ସହଂତି ର ବାର୍ତ୍ତା ଦେଉଛି ବୋଲି କହିଥିଲେ ।ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଭାରେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ