ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ବାଲେଶ୍ୱରରେ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ଦ୍ୱିତୀୟଥର ପାଇଁ ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ ପାଇଁ ସମ୍ପ୍ରତି ରାଜ୍ୟବ୍ୟାପୀ ଜାରି ରହିଛି ଟ୍ରଫି ପରିକ୍ରମା । ଏହି ଟ୍ରଫିକୁ ରବିବାର ବାଲେଶ୍ୱରରେ ଭବ୍ୟ ସ୍ୱାଗତ କରାଯାଇଛି । ମୟୂରଭଞ୍ଜ ଜିଲା ପରିକ୍ରମା ପରେ ଏହି ଟ୍ରଫିକୁ ଅପରାହ୍ଣରେ କଳମାଠାରେ ବାଲେଶ୍ୱର ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ସମେତ ବହୁ ଗଣସଂଗଠନ ଓ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ତଥା ସଦସ୍ୟମାନେ ମିଳିତ ଭାବେ ବିଶ୍ୱକପ ଟ୍ରଫିକୁ ଶୋଭାଯାତ୍ରାରେ ଆଣି ବାଲେଶ୍ୱର ସହରରେ ପହଞ୍ଚିଥିଲେ । ସହରର ଫକୀର ମୋହନ ଗୋଲେଇଠାରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଓ ନୂଆ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବାଲେଶ୍ୱର ଏସପି ସାଗରିକା ନାଥ ପ୍ରମୁଖ ଏହି ଟ୍ରଫିକୁ ସ୍ୱାଗତ କରିଥିଲେ । ସମସ୍ତେ ଟ୍ରଫି ସ୍ୱାଗତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଫାଣ୍ଡିଛକ ଦେଇ ଯାଉଥିବା ବେଳେ ସଦର ବିଧାୟକ ସ୍ୱରୂପ ଦାସ ଫାଣ୍ଡିଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ ସହ ଟ୍ରଫିକୁ ସ୍ୱାଗତ ପୂର୍ବକ ଏଥିରେ ସାମିଲ ହୋଇଥିିଲେ । ଶୋଭାଯାତ୍ରା ବିବେକାନନ୍ଦ ମାର୍ଗ ଦେଇ ଯାଉଥିବା ବେଳେ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଜିଲାପାଳଙ୍କ ଫାଟକ ସମ୍ମୁଖରେ, ଗୋପାଳଗାଁ ଛକ ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବାଲେଶ୍ୱର ପୌରାଧ୍ୟକ୍ଷାଙ୍କ ସମେତ ବହୁ କାଉନସିଲର ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିଥିଲେ । ବିଶାଳ ଶୋଭାଯାତ୍ରାରେ ଏହି ଟ୍ରଫି ପରମିଟ ପଡ଼ିଆରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଘୋଡ଼ାନାଚ, ଆଦିବାସୀ ଧୁମୁସା ନାଚ, ସଂକୀର୍ତ୍ତନ ଦଳଙ୍କ ସମେତ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପ୍ଲା’କାର୍ଡ଼ ଓ ହକିଷ୍ଟିକ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ପରମିଟ ପଡ଼ିଆରେ ଆୟୋଜିତ ସଭାମଞ୍ଚରେ ନିର୍ବାଚିତ ଲୋକ ପ୍ରତିନିଧି, ଜିଲା କ୍ରୀଡ଼ା ସଂଘ କର୍ମକର୍ତ୍ତାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଏହି ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା । ପରେ ଏହି ଟ୍ରଫିକୁ ଶୋଭାଯାତ୍ରାରେ ନେଇ ସଂଧ୍ୟାରେ ଭଦ୍ରକ ଜିଲା ପ୍ରଶାସନକୁ ସିମୁଳିଆଠାରେ ହସ୍ତାନ୍ତର କରାଯାଇଛି । ପୁରୁଷ ହକି ବିଶ୍ୱକପ ଟ୍ରଫି ସ୍ୱାଗତ ପାଇଁ ପରମିଟ ପଡ଼ିଆ ଉତ୍ସବ ୨/୩ ଘଣ୍ଟା ପାଇଁ ଉତ୍ସବମୁଖର ହୋଇପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ