ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ସଚେତନତା କାର୍ଯ୍ୟକ୍ରମ
କୋଦଳା, (ଗୁଲସନ କୁମାର କର):ସରକାର ମହିଳା ମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ମହିଳା ମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସହରାଞ୍ଚଳର ମହିଳାଙ୍କ ଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି। ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ ଉପାଧ୍ୟକ୍ଷା ରଞ୍ଜିତା ସେଠୀ ଏନଏସି ଅନ୍ତର୍ଗତ ବି ନୂଆପଲ୍ଲୀ ଗ୍ରାମକୁ ଯାଇ ମହିଳାମାନଙ୍କୁ ନେଇ ଏକ ସଚେତନତା ସଭା କରିଛନ୍ତି। କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଏସ୍ ଏଚ୍ ଜି ଗ୍ରୁପ ମାନଙ୍କୁ ଋଣ ପ୍ରଦାନ କରୁଛନ୍ତି ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ମହିଳା ମାନଙ୍କୁ ଆହ୍ଵାନ କରିଛନ୍ତି ଅଧ୍ଯକ୍ଷ ଶ୍ରୀ ନାୟକ। ବିଭିନ୍ନ ପ୍ରକାରର ଉଦ୍ୟୋଗ କରି ମହିଳା ଗୋଷ୍ଠୀ ମାନେ କିଭଳି ନିଜେ ସ୍ବାବଲମ୍ବି ହୋଇ ପାରିବେ ସେ ନେଇ ମହିଳାଙ୍କୁ ପରାମର୍ଶ ଦିଆଯାଇଛି। ଆଗାମୀ ୧୭ ତାରିଖରେ ବ୍ରହ୍ମପୁରରେ ଏନେଇ ଏକ ମେଳା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କୋଦଳା ଅଞ୍ଚଳର ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଆଯାଇ ସେଠାରେ ବିଭିନ୍ନ ଉଦ୍ୟୋଗ ବିଷୟରେ ଅବଗତ କରାଯିବ ଏବଂ ମହିଳା ମାନେ ଯେଉଁ ଉଦ୍ଯୋଗ କରିବାକୁ ଚାହିଁବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।


