ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ବ୍ୟାସକବି ଜୟନ୍ତୀ ସମାରୋହ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଫକୀର ମୋହନ ସାହିତ୍ୟ ପରିଷଦର ୭୬ତମ ବାର୍ଷିକ ଉତ୍ସବ ତଥା ସମାରୋହ ସ୍ଥାନୀୟ କବିତୀର୍ଥ ଶାନ୍ତିକାନନ ପରିସରରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ମୁଖଖ୍ୟଅତିଥି ଭାବେ ଯୋଗଦେଇ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପରିଷଦର ପତାକା ଉତୋଳନ ପୂର୍ବକ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଏ ଜାତିର ସେନାପତି ସାଜି ସେ ମାତୃଭାଷା ଓଡ଼ିଆକୁ ସୁରକ୍ଷା ଦେଇଥିଲେ ବୋଲି ପ୍ରଫେସର ତ୍ରିପାଠୀ ମତ ପ୍ରକାଶ କରିଥିଲେ । ତେବେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ପ୍ରତ୍ୟେକ ମହଲରୁ ଉଦ୍ୟମ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫକୀର ମୋହନ ସେନାପତିଙ୍କ ସାହିତ୍ୟକୃତିର ଅନାଲୋଚିତ ଦିଗ ଉପରେ ଆଲୋଚନା କରିବା ସହିତ ସାହିତ୍ୟ ପରିଷଦର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । କେବଳ ବ୍ୟାସକବିଙ୍କ ସ୍ମୃତିରକ୍ଷା ନୁହେଁ ବରଂ ଓଡ଼ିଆ ଭାଷା ସମୃଦ୍ଧି କ୍ଷେତ୍ରରେ ସାହିତ୍ୟ ପରିଷଦର ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ବ୍ୟାସକବିଙ୍କ ଅବଦାନ ଓ ମାତୃଭାଷା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟତମ ସଦସ୍ୟ ଡ. ଶୁଭଶ୍ରୀ ଲେଙ୍କା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏହି ଉଦଘାଟନୀ କାର୍ଯ୍ୟକମରେ ସଭାପତିତ୍ୱ କରିବା ସହିତ ୭୫ ବର୍ଷରେ ପଦାର୍ପଣ କରିଥିବା ପରିଷଦର ରତ୍ନ ଉତ୍ସବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ଅବସରରେ ଡ. ମହାନ୍ତିଙ୍କ ପୁସ୍ତକ ସ୍ମୃତିର ସରଣୀ ଓ ସୁଷମା ମହାପାତ୍ରଙ୍କ ଗଙ୍ଗଶିଉଳି ପୁସ୍ତକକୁ ଏହି ସଭାରେ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥି ସହିତ ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ପରିଚାଳନାରେ ତଥା ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାସକବି ଫକୀରମୋହନ ସେନାପତି, ପଦ୍ମଶ୍ରୀ ମନୋଜ ଦାସ, ବାମଣ୍ଡା ରାଜା ସୁଢ଼ଳ ଦେବ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଥିଲା । ପରିଷଦର ସମ୍ପାଦକ ଦୀପକ ବୋଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ତପନ ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅପରାହ୍ଣରେ ସଭାମୁଖ୍ୟ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ୱତ ସଭାରେ କବୟିତ୍ରୀ ଡ. ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟଅତିଥି, ଗବେଷକ ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ କବୟିତ୍ରୀ ମମତା ଦାଶ ଓ ଗବେଷକ ଡ. ଦେବାଶିଷ ପାତ୍ର ଯୋଗ ଦେଇଥିଲେ । ସଂଧ୍ୟାରେ ଏକକ ଅଭିନୟ ନାଟକ ମଞ୍ଚସ୍ଥ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ