ମେଡିକାଲ କଲେଜ ଦାବିରେ ଆଗକୁ ବଡ ଆନ୍ଦୋଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୧୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠାର ଦାବି ଦିନକୁଦିନ ଜୋର ଧରିବାରେ ଲାଗିଛି । ଦୀର୍ଘଦିନ ହେବ ଏହି ଦାବିରେ ଚାଲିଥିବା ଆନ୍ଦୋଳନ ରାଜଧାନୀ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ନିଦାବିଷ୍ଣୁ ସାଜିଛନ୍ତି । ନିକଟରେ ରାଜ୍ୟର ପୁଣି ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଥିବା ସ୍ଥଳେ ସେଥିରେ କେନ୍ଦ୍ରାପଡା ଜିଲ୍ଲାକୁ ଉପେକ୍ଷା କରାଯାଇଥିବାରୁ ମିଳିତ କ୍ରୀୟାନୁଷ୍ଠାନ କମିଟି ତାହାର କ୍ଷୋଭ ପ୍ରକାଶ କରି ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳାଇ ରଖିବାକୁ ନିଷ୍ପତ୍ତି ନେଇଛି । ଏଥିସହିତ କେନ୍ଦ୍ରାପଡା ପୈାରାଞ୍ଚଳବାସୀଙ୍କ ଆବଶ୍ୟକତାକୁ ଅଣଦେଖା କରି ବିନା ଯୋଜନାରେ ଅତ୍ୟନ୍ତ ତରବରିଆ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡିଆସ୍ଥିତ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରକୁ ଉଠାଇ ନିଆଯାଇଥିବାରୁ ପୈାରାଞ୍ଚଳବାସୀଙ୍କ ପାଇଁ ଏକ ସିଟି ହସପିଟାଲ ଦାବିକୁ କମିଟି ଜୋର ଦେଇଛି । କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ପବ୍ଲିକ ରିଡିଂରୁମ ପରିସରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ରାଜକିଶୋର ବିଶ୍ୱାଳ, ବୈଷ୍ଣବ ସ୍ୱାଇଁ, ଭାଗୀରଥି ଜେନା, ଅଭିମନ୍ୟୁ ରାଉତ, ସୋହାନା ବେଗମ, କରୁଣାକର ଦାସ ପ୍ରମୁଖ ଏସମ୍ପର୍କରେ ଆଲୋଚନା କରି ମେଡିକାଲ କଲେଜ ପାଇଁ ଆସନ୍ତା ଫେବୃୟାରୀମାସ ୧୫ତାରିଖରୁ ରାଜକନିକାର ସହିଦ ବାସୁ ବିସୁନୀ ସ୍ମୃତିପୀଠରୁ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ସଭା ସମିତି ଜରିଆରେ ବ୍ୟାପକ ଜନଚେତନା ସୃଷ୍ଟି କରାଯାଇ ଏକ ବୃହତ୍ତର ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାକୁ ସଫଳ କରିବା ନିମନ୍ତେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରାଯାଇଛି ।


