ନିଖୋଜ ଫେରିବାଲା ଅଚେତ ଅବସ୍ଥାରେ ଉଦ୍ଧାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଗ୍ରାମର ସେକ ରଜାକ ନାମକ ଜଣେ ବ୍ୟକ୍ତି ଫେରି ବେପାର କରି ନିଜ ଗୁଜୁରାଣ ମେଣ୍ଟାଇଥାଏ । କିନ୍ତୁ ଗତକାଲି ସକାଳେ ଘରୁ ସାଇକେଲ ଓ ଫେରି ସାମଗ୍ରୀ ଧରି ବାହାରି ଆସିବାପରେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନପାଇବାରୁ ସାମାଜିକ ଗଣମାଧ୍ୟମରେ ସୁଚନା ଦେଇଥିଲେ । ଆଜି ଆନନ୍ଦପୁର ଥାନା ମୋଚିନ୍ଦା ଗ୍ରାମ ନିକଟସ୍ଥ କେନାଲ ନିକଟରେ ଅଚେତ ଅବସ୍ଥାରେ ପଡିଥିବା ଦେଖି କିଛି ସ୍ଥାନୀୟ ଲୋକ ତାକୁ ଉଦ୍ଧାରକରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବରପାଇ ପରିବାର ଲୋକେ ହାକ୍ତରଖାନାରେ ପହଞ୍ଚି ତାଙ୍କୁ ଘରକୁ ନେଇଛନ୍ତି । ସେ ଠିକ ଭାବେ କଥାର୍ତ୍ତା କରିପାରୁ ନାହାନ୍ତି । ବାରିଗାଁ ଛକ ନିକଟରୁ ଜଣେ ବ୍ୟକ୍ତି ତାଙ୍କୁ ମଟରସାଇଲେରେ ବସାଇ ନେବାପରେ ଛେନାପଦିଛକରେ ଏକ ଦୋକାନରେ ଚା ପିଇଥିଲେ । ପରେ ତାକୁ ଆନନ୍ଦପୁର ଆଡକୁ ନେଇଯାଇଥିଲେ । ତାକୁ ନିଶାଦେଇ ତାଙ୍କ ନିକଟରେ ଥିବା ଟଙ୍କାକୁ ନେଇଯାଇଥିବା ପରିବାର ଲୋକେ କହୁଛନ୍ତି । ଗତ କିଛିଦିନ ତଳେ ଛେନାପଦିଛକ ଓ ବସନ୍ତିଆ ନିକଟରୁ ଏହିପରି ଭାବେ ଦୁଇଜଣ ପରିବା ବ୍ୟବସାୟୀଙ୍କୁ ନେଇ ନିଶାଦେଇ ପକାଇ ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।


