ଜିଲ୍ଲା ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍କୁଲର ୧୭୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି । ଜିଲ୍ଲା ସ୍କୁଲ ପଡ଼ିଆ (ପୁରୁଣା ଷ୍ଟାଡିଅମ)ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଯୋଗଦେଇ ଏହି କ୍ରୀଡ଼ାକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷା ଗ୍ରହଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଶାରୀରିକ ମାନସିକ ବିକାଶ ନିମନ୍ତେ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତୀଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବାରେ ବିଦ୍ୟାଳୟ ସ୍ତରୀୟ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଛି ବୋଲି ଏସପି ଶ୍ରୀମତୀ ନାଥ ମତପ୍ରକାଶ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମରେ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପରସ୍ପର ମଧ୍ୟରେ ଭାତୃତ୍ୱଭାବ ବଜାୟ ରଖି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ହାର-ଜିତକୁ ଗୁରୁତ୍ୱ ନଦେଇ ସର୍ବଦା ଖେଳୱାଡ଼ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ କାଉନସିଲର ସତ୍ୟଶିବ ସୁନ୍ଦର ଦାସ ଓ ପୁରାତନ ଛାତ୍ର ସଂସଦର ସମ୍ପାଦକ ରାଜେଶ ଗିରି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଦାସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାର୍ଚ୍ଚପାଷ୍ଟରେ ପଡ଼ିଆ ପରିକ୍ରମା ସହ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଯୋଗାସନ, ଡ୍ରିଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପରବେଷଣ କରାଯାଇଥିଲା । ଦୁଇଦିନ ଧରି ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ୫୦ରୁ ଉର୍ଦ୍ଧ୍ୱ ବିଭାଗରେ ୮ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସହରର ଅନ୍ୟାନ୍ୟ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକମାନେ ଉପସ୍ଥିତ ରହି ଏହି କ୍ରୀଡା ଉତ୍ସବକୁ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ