ଦୁଇ ବିଭାଗର କଳିରେ ଜନତା ହନ୍ତସନ୍ତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ପ୍ରବାହିତ ଦେବୀନଦୀର ଦେବୀଦୋଳସ୍ଥିତ ତୁମ୍ବେଶ୍ୱର ନିକଟରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ନାଉଗାଁ ବ୍ଳକକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ମୁଖ୍ୟରାସ୍ତା ଖୋଳାକୁ ଉକ୍ତ ବିଭାଗ ଖୋଳୁଥିବା ସମୟରେ ପୂର୍ତ ବିଭାଗ ପକ୍ଷରୁ କାର୍ଯ୍ୟକୁ ବନ୍ଦ କରାଯାଇଛି । ଯାହା ପାଇଁ ନାଉଗାଁ ବ୍ଲକର ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ନାଉଗାଁ ବ୍ଲକ ସହିତ ବାଲିକୁଦା ଓ ଏରସମା ବ୍ଲକର ଲୁଣି ଅଂଚଳକୁ ମଧୁର ଜଳ ଯୋଗାଇବା ପାଇଁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୪୨ କୋଟି ୮୮ ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଦେବୀନଦୀରୁ ମଧୁର ଜଳ ସଂଗ୍ରହ କରାଯାଇ ବାଲିକୁଦା ଓ ଏରସମା ବ୍ଳକ ସହିତ ନାଉଗାଁ ବ୍ଲକର ଲୁଣି ପାଣି ଥିବା ବିଭିନ୍ନ ପଂଚାୟତକୁ ମଧୁର ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ ଏଲ ଆଣ୍ଡ ଟି ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ଠିକା ସଂସ୍ଥା ପାଇପ ବିଛାଇବା ସମୟରେ ଅନ୍ୟ ବିଭାଗମାନଙ୍କର ଅନୁମତି ନ ଆଣି ରାସ୍ତା ଆଦି ଖୋଳିବା ଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ମିଳୁଛି ଉକ୍ତ ବ୍ଲକରୁ ଜଗତସିଂହପୁର ସଦରକୁ ସଂଯୋଗ କରୁଥିବା ବାଲିଭଉଁରୀ-ଶିଖରଘାଟ ମୁଖ୍ୟରାସ୍ତା । ଏହି ରାସ୍ତା ପୂର୍ତ ବିଭାଗ ଅଧିନରେ ଥିବା ବେଳେ ଉକ୍ତ ବ୍ଳକର ମୁଖ୍ୟରାସ୍ତା ଅଟେ । ଏଲ ଆଣ୍ଡ ଟି ସଂସ୍ଥା ତରଫରୁ ଅଲଣାହାଟ ସ୍କୁଲ ନିକଟରେ ରାସ୍ତାର ପାଶ୍ୱର୍ରେ ପାଇପି ପକାଇବା ପାଇଁ ଦୀର୍ଘ ୧୫ ଦିନ ହେବ ଖୋଳା ଯାଇଅଛି । ସଂସ୍ଥା ପକ୍ଷରୁ ଉକ୍ତ ରାସ୍ତା ଖୋଳାଯିବା ସମୟରେ ପୂର୍ତ ବିଭାଗର ଅଧିକାରୀମାନେ ଆସି ରାସ୍ତା ଖୋଳା ବନ୍ଦ ରଖିଛନ୍ତି । ଯାହାଫଳରେ ଉକ୍ତ ସଂସ୍ଥା ପକ୍ଷରୁ ପାଇପି ପକାଯାଇ ପାରୁନାହିଁ । ଅପରପକ୍ଷେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଖୋଳା ହୋଇଥିବାରୁ ପିଲାମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରିକି ରାତିରେ ପ୍ରବଳ କୁହୁଡି ହେଉଥିବାରୁ ଉକ୍ତ ରାସ୍ତାର ପାଶ୍ୱର୍ରେ ମାଟି ଜମା ହୋଇ ରହିଥିବାରୁ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ କଥା ହେଲା ରାସ୍ତା ପାଶ୍ୱର୍ରେ ମାଟି ଜମିବା ସହିତ ପୂର୍ତ ବିଭାଗ ଦ୍ୱାରା ରାସ୍ତା କାର୍ଯ୍ୟ ଚାଲୁ ରହିଛି । ପୂର୍ତ ବିଭାଗ ପକ୍ଷରୁ ରାସ୍ତାରେ ଡଷ୍ଟ ପକାଯାଇ କାର୍ଯ୍ୟ ହେଉଛି । ଏହି ରାସ୍ତାରେ ପ୍ରତ୍ୟହ ଯାତ୍ରୀବାହି, ମାଲବାହି ଗାଡି ଆଦି ଯିବା ଆସିବା ଦ୍ୱାରା ରାସ୍ତାରେ ଡଷ୍ଟ ଉଡୁଛି ।ଯାହାଫଳରେ ସ୍ଥାନୀୟ ଜନସାଧାରଣମାନେ ଧୂଳିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଯଥା ଶିଘ୍ର ଖୋଳା ଯାଇଥିବା ସ୍ଥାନକୁ ପୁରଣ କରିବା ପାଇଁ ଜନସାଧାରଣ ପ୍ରଶସାନ ନିକଟରେ ଦାବି କରିଛନ୍ତି । ଏବିଷୟକୁ ନେଇ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର କନିଷ୍ଟ ଯନ୍ତୀ ପ୍ରଦୀପ୍ତ ବରାଳଙ୍କୁ ପଚାରିବାରୁ ମାଟି ତଳେ ୧ଫୁଟ ଖୋଳି ପାଇପ ଯିବାର ନିୟମ ରହିଥିବା ବେଳେ ସଂସ୍ଥା ପକ୍ଷରୁ ଖୋଳା ଯାଉଥିଲା । କିନ୍ତୁ ପୂର୍ତ ବିଭାଗର ଅଧିକାରୀମାନେ ଆସି ତାଙ୍କ ଅଧିନରେ ଥିବା ରାସ୍ତାକୁ ଖୋଲିବା ପାଇଁ ମନା କରି ଦେଇଥିବାରୁ କାମ ବନ୍ଦ ରହିଛି । ଆମେ ଆମ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହେଇଛୁ । ସେ ପୂର୍ତ ବିଭାଗ ସହ ଆଲୋଚନା କରିସାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । ସେହିପରି ପୂର୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ନିମାଇଁ ଦାସଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଜାଣି ନାହିଁ । କ’ଣ ହୋଇଛି ଏସଡିଓଙ୍କୁ ପଚାରି ବିଝୁଲା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ