‘ବିଆଇଏମଟି’ରେ ଆନ୍ତର୍ଜାତିକ ମହିଳା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ ଦହପଡ଼ା ସ୍ଥିତ ‘ଭାରତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି’ (ବିଆଇଏମଟି)ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ. ଶ୍ରୀମାନ ଶ୍ରୀଚନ୍ଦନ ସଭାପତିତ୍ୱ କରିବା ସହ ବିଶ୍ୱ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ମାରୱାଡ଼ି ମହିଳା ସମ୍ମେଳନର ସମ୍ପାଦିକା ସମାଜସେବୀ ସୋନାଲ ମୋଦି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳାଙ୍କ ସ୍ଥିତି ଓ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ନାରୀମାନେ ଶିକ୍ଷିତ ହୋଇ ନିଜର ଅଧିକାର ସାବ୍ୟସ୍ତ ପାଇଁ ସେ ଉପସ୍ଥିତ ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟର ଏକାଡେମିକ ଡାଇରେକ୍ଟର ଡ. ଶେଖ ଗୟାସୁଦ୍ଦିନ, ମ୍ୟାନେଜମେଣ୍ଟ ବିଭାଗ ମୁଖ୍ୟ ଡ. ପ୍ରଦୀପ କୁମାର ଗିରି ପ୍ରମୁଖ ଏଥିରେ ଯୋଗଦେଇ ରାଷ୍ଟ୍ରୀୟ ରାଜନୀତି ଓ ଅର୍ଥନୀତି ପରିଚାଳନାରେ ମହିଳାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପିକା ସଗୁଫତା କ୍ୱାଦିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଶୁଭଲକ୍ଷ୍ମୀ ସାହୁ, ଚିତ୍ତରଂଜନ କର, ପଙ୍କଜ ମହାନ୍ତି, ପ୍ରେମଜିତ ସିଂ, ନିର୍ମଳ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


