ୱାନଷ୍ଟପ ସେଣ୍ଟର ପକ୍ଷରୁ ବିଶ୍ୱ ମହିଳା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ୱାନଷ୍ଟପ ସେଣ୍ଟର ‘ସଖୀ’ ପକ୍ଷରୁ ସହରର ବିଭିନ୍ନ ସପିଙ୍ଗ ମଲରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ‘ସଖୀ’ ର ପ୍ରଶାସିକା ମିନତୀ ପାତ୍ର ସାମ୍ପ୍ରତିକ ସମାଜରେ ଘଟୁଥିବା ନାରୀ ନିର୍ଯାତନା ଭିତ୍ତିକ ଘଟଣା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଦୁଷ୍କର୍ମ, ଅପହରଣ, ଘରୋଇ ହିଂସା, ଏସିଡ଼ ଆକ୍ରମଣ, ସାଇବର ଅପରାଧ, ଯୌନ ନିର୍ଯାତନା, ଲିଙ୍ଗଗତ ଭେଦଭାବ ପ୍ରଭୃତିର ମୂଳ ଉତ୍ପୋଟନ ପାଇଁ ସବୁ ମହଲରୁ ଉଦ୍ୟମ ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସପିଙ୍ଗ ମଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ମହିଳା ଗ୍ରାହକଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ‘ସଖୀ’ର ନିର୍ଦ୍ଦେଶକ କୋପାଳକୃଷ୍ଣ କର, କାର୍ଯ୍ୟକ୍ରମ ପରିଚାଳକ ବାମଦେବ ପାଣିଗ୍ରାହୀ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାଉନସେଲର ଅନୁରାଧା ଧୁଙ୍ଗିଆ, ଗାୟତ୍ରୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।


