ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଅଭାବ
ହାଟଡିହି, (ବିକାଶ ବିଶ୍ୱାଳ):ବିଭିନ୍ନ ଦାବିନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଆନେ୍ଦାଳନ ପରିପ୍ରେକ୍ଷିରେ ହାଟଡିହି ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ହାଟଡିହି ଠାରେ ଚାଲିଥିବା ଆନେ୍ଦାଳନ ଓ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ସଂଘର ଶହଶହ ସଦସ୍ୟ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ତୁରନ୍ତ ରଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ପୁରଣ ପାଇଁ ଶ୍ଳୋଗାନ ମାନ ଦେବା ସହ ଆନନ୍ଦପୁର-ଭଦ୍ରକ ରାସ୍ତାଦେଇ ଯାଉଥିବା ପରିବହନ ଗାଡି ଗୁଡିକୁ ଅଟକ ରଖୁଛନ୍ତି । ଏହି ରାସ୍ତାଦେଇ କେବଳ ଗୋଟିଏ ଦୁଇଟି ସରକାରୀ ବସ ଚଳାଚଳ କରୁଛି । ଦୁଇଦିନ ହେଲା ଗାଡି ଚଳାଚଳ ବନ୍ଦ ହୋଇଯାଇଥିବାରୁ ଏବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଅଭାବ ପରିଲକ୍ଷିତ ହୋଇଛି । ଆଜି ଦିନ ୧୦ଟା ଠାରୁ ହଠାତ ସମସ୍ତ ଦୋକାନରୁ ଆଳୁ ସରିଯିବାରୁ ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ଦୁଇଦିନ ହେଲା ଆଳୁ ଗାଡି ଆସିନଥିବାରୁ ଏଠାରେ ଥିବା ଗୋଦାମ ଗୁଡିକରେ ଆଳୁର ଅଭାବ ଦେଖା ଦେଇଛି । ସେହିପରି ଆଉ ଗୋଟିଏ ଦିନ ଗାଡି ବନ୍ଦ ରହିଲେ ପିଆଜର ମଧ୍ୟ ଅଭାବ ଦେଖାଦେବ ବୋଲି କିଛି ଗୋଦାମ ମାଲିକ କହିଛନ୍ତି । ସେହିପରି ଛେନାପଦି, ହାଟଡିହି, ବିଦ୍ୟାଧରପୁର, ଓରାଳି, ବଡରମ୍ପାସ ପ୍ରଭୃତି ସ୍ଥାନରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ମଧ୍ୟ ଗ୍ରାହକ ମାନଙ୍କ ମଧ୍ୟରେ ଭିଡ ପରିଲକ୍ଷିତ ହୋଇଛି । ଟାଙ୍କି ଗୁଡିକରେ ପେଟ୍ରୋଲ ଅଭାବ ଦେଖାଦେବ ବୋଲି ପ୍ରଚାର ହୋଇଯିବାପରେ ଲୋକମାନେ ନିଜ ନିଜ ବାଇକରେ ଆବଶ୍ୟକତା ଠାରୁ ଅଧିକ ପରିମାଣର ପେଟ୍ରୋଲ ଭରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯଦି ଆସନ୍ତା କାଲି ସୁଧା ପେଟ୍ରୋଲ ଗାଡି ନଆସେ ତେବେ କାଲି ସକାଳୁ ପେଟ୍ରୋଲ ଯୋଗାଣ ସମ୍ପୁର୍ଣ୍ଣ ପମ୍ପ ବନ୍ଦ ହୋଇଯିବ ବୋଲି କହିଛନ୍ତି ।


