ବସଷ୍ଟାଣ୍ଡ ଜମିରେ ବ୍ୟବସାୟିକ କୋଠା ନିର୍ମାଣ ନିଷ୍ପତ୍ତିକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ନରହରିପୁର ଠାରେ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ସ୍ଥାନରେ ଆବାସିକ ଆପାର୍ଟମେଣ୍ଟଓ ବ୍ୟବସାୟିକ କେନ୍ଦ୍ର ନିର୍ମାଣ କରିବାକୁ ଜିଲା ପ୍ରଶାସନର ଜିଦଖୋର ନୀତିକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ଗଣ ସଂଗଠନଙ୍କ ସମେତ ବାଲେଶ୍ୱର ସିଭିଲ ସୋସାଇଟି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ବୈଠକରେ ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ତଥା ବାର ଆସୋସିଏସନର ସଭାପତି ମନୋଜ ନାୟକ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ସୀତାରମ ପ୍ରଧାନ, ଯୁବ ସଂଗଠକ ରଘୁନାଥ ଲେଙ୍କା ପ୍ରମୁଖ ଯୋଗଦେଇ ଜିଲା ପ୍ରଶାସନର ରିଏଲ ଇଷ୍ଟେଟ ପ୍ରୀତିକୁ ତୀବ୍ର ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ବସଷ୍ଟାଣ୍ଡ ଶିଳାନ୍ୟାସକୁ ୧୩ ବର୍ଷ ବିତିଥିବା ବେଳେ ଇତିମଧ୍ୟରେ ବାଲେଶ୍ୱର ଓ ରେମୁଣା ସହରର କଳେବର ବଢିଛି । ସମ୍ପ୍ରସାରିତ ଦୁଇ ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଏକ ଜିଲାସ୍ତରୀୟ ବସଷ୍ଟାଣ୍ଡ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସିଭିଲ ସୋସାଇଟି ବୈଠକରେ ଉପସ୍ଥିତ ସମାଜସେବୀମାନେ କହିଥିଲେ । ରେମୁଣା ଗୋଲେଇ ନିକଟସ୍ଥ ବିଦ୍ୟୁତ ଗ୍ରୀଡ଼ ନିକଟରେ ବାଲେଶ୍ୱର ଆଞ୍ଚଚଳିକ ଉନ୍ନୟନ ଟ୍ରଷ୍ଟ (ବ୍ରିଟ) ଦ୍ୱାରା ଅଧିଗ୍ରହଣ ହୋଇଥିବା ୮ ଏକର ଜମିରୁ ବସଷ୍ଟାଣ୍ଡ ପାଇଁ ମାତ୍ର ୧.୫ ଏକର ଜମି ରଖି ବାକି ସାଢେ ୬ ଏକର ଜମିରେ ବହୁତଳ କୋଠା ନିର୍ମାଣ ସହ ବିକ୍ରି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ରିଏଲ ଇଷ୍ଟେଟ ସଂସ୍ଥା ପକ୍ଷରୁ ‘ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ (ଆଗ୍ରହ ପତ୍ର) ଆବେଦନ ଆମନ୍ତ୍ରଣ କରାଯାଇଛି । ବାଲେଶ୍ୱରର ପୂର୍ବତନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରସ୍ତାବିତ ବସଷ୍ଟାଣ୍ଡର ୮ ଏକର ଜମିରୁ ଅଧା ଜମିରେ ବସଷ୍ଟାଣ୍ଡ ଓ ବାକି ଜମିରେ ଜନକଲ୍ୟାଣ କାର୍ଯ୍ୟରେ ଉପଯୋଗ ହେବା କଥା କହିଥିବା ବେଳେ ବର୍ତ୍ତମାନର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏବେ ବସଷ୍ଟାଣ୍ଡ ପରିସରକୁ ୧.୫ ରୁ ୨ ଏକର ମଧ୍ୟରେ ସୀମିତ ରଖି ଅବଶିଷ୍ଟ ଜମି ଡେଭେଲୋପମେଣ୍ଟ ପାଇଁ ନିର୍ଦ୍ଦେଶ ଦେବାର ଯଥାର୍ଥତା କେତେ ବୋଲି ସିଭିଲ ସୋସାଇଟି କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ୯ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟରେ ବିବାଦୀୟ ଜମି ଉପରେ ଥିବା ସହଦେବଖୁଣ୍ଟା ବସଷ୍ଟାଣ୍ଡ ପରିସରକୁ ସଙ୍କୁଚିତ ସହ ନବୀକରଣ କାର୍ଯ୍ୟ ଜାରି ରଖିବାର ଉଦ୍ଦେଶ୍ୟକୁ ନେଇ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଛି । ବାଲେଶ୍ୱରରେ ୩ଶହରୁ ଉର୍ଦ୍ଧ୍ୱ ଘରୋଇ ବସ ଚଳାଚଳ କରୁଥିବା ବେଳେ ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ମାତ୍ର ୩୧ଟି ବସ ରହିବା ପାଇଁ ବ୍ୟବସ୍ଥା କରାଯାଉଛି । ସଂକୀର୍ଣ୍ଣ ରାସ୍ତାରେ ଥିବା ଏହି ବସଷ୍ଟାଣ୍ଡ ଯେ ସହରରେ ଭିଡ଼ବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ । ସହଦେବଖୁଣ୍ଟାରେ ବସଷ୍ଟାଣ୍ଡ ପାଇଁ ଅଧିକ ଆର୍ôଥକ ଅନୁଦାନ ପ୍ରଦାନ ପରେ ରେମୁଣାରେ ପ୍ରସ୍ତାବିତ ବସଷ୍ଟାଣ୍ଡର କଳେବରକୁ ସଙ୍କୁଚିତ କରାଯାଇଥିବା ସୋସାଇଟିର କର୍ମକର୍ତ୍ତମାନେ ଆରୋପ ଉଠାଇଛନ୍ତି । ସରକାରୀ ଜମିରେ ରିଏଲ ଇଷ୍ଟେଟ ଦ୍ୱାରା ଆପାର୍ଟମେଣ୍ଟ ନିର୍ମାଣ କରି ସେଥିରୁ ସାଧାରଣ ଲୋକଙ୍କୁ ଘର ବିକ୍ରି କରିବାର ଯୋଜନାରୁ ଜିଲା ପ୍ରଶାସନକୁ ନିବୃତ ନହେଲେ ସିଭିଲ ସୋସାଇଟି ଅଦାଲତର ଆଶ୍ରୟ ନେବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ଉପସ୍ଥିତ କର୍ମକର୍ତ୍ତମାନେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମସୁନ୍ଦର ଜେନା, ଅରୁଣ ଜେନା, ଶରତଚନ୍ଦ୍ର ଦଳାଇ, ଦେବାଶିଷ ସିଂ, ଶରତ କୁମାର ପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ