ଜିଲ୍ଲା ସ୍ତରୀୟ ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଉତ୍ସବ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କର ୧୩୨ ତମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଜଉଗଡ ସମ୍ମିଳନୀ କକ୍ଷରେ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ପବିତ୍ର ଓଡିଆ ନବ ବର୍ଷ ପଣା ସଂକ୍ରାନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଓଡିଆ ନବବର୍ଷର ତାତ୍ପର୍ଯ୍ୟ ସମ୍ପର୍କରେ ଅତିଥି ଗଣ ଅବଗତ କରାଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପରେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସେଠାରେ ସ୍ମୃତି ଚାରଣ ପୂର୍ବକ ମହା ସମାରୋହରେ ପାଳିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇ ଥିଲେ ଯେ, ବିଭିନ୍ନତା ମଧ୍ୟରେ ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କର ପ୍ରତିଭାର ପରିଚୟ ମିଳେ । ସେ ଭାରତ ମାତାର ଯୋଗ୍ୟତମ ବ୍ୟକ୍ତିତ୍ବ ଥିଲେ । ଅନେକ ଆନ୍ତର୍ଜାତୀୟ ଭାଷାର ପାଣ୍ଡିତ୍ୟ ଥିଲେ । ବିଭିନ୍ନତା, ରାଜନୈତିକ, ସମାଜ ସଂସ୍କାରକ, ଦଳିତ ସମାଜର ପ୍ରତିନିଧି ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ଥିଲେ । ଆଜି ମଧ୍ୟ ଭାରତୀୟ ସମ୍ବିଧାନର ମୌଳିକତା ରହିଛି । ଆମ ସମ୍ବିଧାନ ସର୍ବଧର୍ମ ସମନ୍ବୟ ସୂତ୍ର ସମ୍ବିଧାନ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ନିଜ ବକ୍ତବ୍ୟରେ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରି ଦଳିତ ମାନଙ୍କର ସମସ୍ୟା ସମାଧାନ ଦିଗରେ ଆମ୍ବେଦକରଙ୍କର ଭୂମିକା, ଦଳିତ ମାନଙ୍କ ସକାଶେ ସଂରକ୍ଷଣ ବ୍ୟବସ୍ଥା, ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ । ସମ୍ପ୍ରତି ରାଜ୍ୟକୁ ଅର୍ଥନୈତିକ ସ୍ବାଧୀନତା ଦେବାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ । ସମାଜର ପରିବର୍ତ୍ତନ ସହିତ ସମ୍ବିଧାନର ପରିବର୍ତ୍ତନ ସକାଶେ ମଧ୍ୟ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ରହିଥିବା ଅବଗତ କରାଇଥିଲେ । ଏହି ସ୍ମୃତି ଚାରଣ ସଭାରେ ସଭାପତିତ୍ବ କରି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଡଃ ବାବା ସାହେବ ଆମ୍ବେଦକରଙ୍କ ଅସାଧାରଣ ବ୍ୟକ୍ତିତ୍ବ ଏବଂ ପ୍ରତିକୂଳ ଅବସ୍ଥାରେ ମଧ୍ୟ ସେ କେବେ ବି ନିରାଶ ହୋଇ ନଥିବା ଜଣାଇ ଥିଲେ । ଭେଦଭାବ ମୁକ୍ତ କରି ସମସ୍ତଙ୍କୁ ସମାନ ଅଧିକାର ମିଳୁ ଏହି ମର୍ମରେ ଭାରତୀୟ ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଭାରତ ବର୍ତ୍ତମାନ ଅନେକ ବିକାଶ କରି ପୃଥିବୀରେ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ସୁନାମ ଅର୍ଜନ କରିଛି । ଏହା କେବଳ ଆମ ଉତ୍ତମ ସମ୍ବିଧାନ ଯୋଗୁଁ ହୋଇଥିବା ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରି ଶେଷରେ ସମାଜ ସେବା ତଥା ସଂଗଠକ ଅରୁଣ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଛତ୍ରପୁରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଗଣ ଓ ଆବାସିକ ବିଦ୍ୟାଳୟର ମୁଖ୍ୟ ଚିନ୍ମୟ ଦାଶ, ପଣ୍ଡିତ ନୀଳକଣ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜେନ୍ଦ୍ର ଦାଶ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ବ୍ରଜ ମୋହନ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ଶତପଥୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ବିଶ୍ବମ୍ଭର, ଛତ୍ରପୁର ପ୍ରେସ୍ ୟୁନିୟନ ସଭାପତି ପ୍ରଶାନ୍ତ କୁମାର ମହାରଣା, ସାମ୍ବାଦିକ ରବୀନ୍ଦ୍ର ନାଥ ପଣ୍ଡା, ସାମ୍ବାଦିକ କେ.ସତ୍ୟ ନାରାୟଣ ରେଡ୍ଡୀ, ସାମ୍ବାଦିକ ବସନ୍ତ କୁମାର ମହାରଣା ଓ ଅନ୍ୟାନ୍ୟ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ