ବାଲେଶ୍ୱରରେ ୧୧୨୭ ଜଣ କଲେ ମତଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ସମଗ୍ର ଓଡ଼ିଶାରେ ଶନିବାର ରାଜ୍ୟ ବାର କାଉନସିଲ ନିର୍ବାଚନ ହୋଇଥିବା ବେଳେ ବାଲେଶ୍ୱରରେ ବି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଏନେଇ ସ୍ଥାନୀୟ ଅଦାଲତ ପରିସରରେ ୪ ଗୋଟି ବୁଥ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ ବାଲେଶ୍ୱର ବାର ଆସୋସିଏସନର ୧୩୫୨ ଜଣ ଆଇନଜୀବୀଙ୍କ ମଧ୍ୟରୁ ୧୧୨୭ ଜଣ ମତଦାନ କରିଥିବା ଜଣାଯାଇଛି । ୪ ବୁଥରେ ବାଲେଶ୍ୱରର ବିଭିନ୍ନ କୋର୍ଟର ୪ଜଣ ଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୃଙ୍ଖଳାର ସହ ମତଦାନ କାର୍ଯ୍ୟ ସମ୍ପାଦିତ ହୋଇଛି । ପ୍ରତ୍ୟେକ ଭୋଟର ସମନିମ୍ନ ୫ଜଣଙ୍କୁ ଭୋଟ ଦେଇଛନ୍ତି । ଏହି ନିର୍ବାଚନରେ ଭୋଟର ଜଣକ କ୍ରମାନ୍ୱୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାର ପ୍ରାବଧାନ ରହିଛି । ୫ ଜଣରୁ କମ ପ୍ରାର୍ଥୀଙ୍କୁ ବାଛିଲେ ସମ୍ପୃକ୍ତ ଭୋଟରଙ୍କ ମତ ନାକଚ ହୋଇଯାଇଥାଏ ବୋଲି ଜଣାଯାଇଛି । ଚଳିତ ରାଜ୍ୟ ବାର କାଉନସିଲ ନିର୍ବାଚନରେ ୨୫ ସଭ୍ୟ ପଦ ପାଇଁ ୯୬ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିର୍ବାଚିତ ୨୫ ସଦସ୍ୟଙ୍କ ମଧ୍ୟରୁ ଚେୟାରମ୍ୟାନ, ଭାଇସ ଚେୟାରମେନ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପୁଣି ମନୋନୀତ ବା ନିର୍ବାଚିତ ହେବେ ବୋଲି ବରିଷ୍ଠ ଆଇନଜୀବୀମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ