ତମାଖୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୁର୍ଗ ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରିଣୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଆମ ସମାଜରେ ତମାଖୁ ସେବନ କରୁଥିବା ଲୋକମାନଙ୍କୁ ନିଶା ସେବନ ଠାରୁ ଦୂରେଇ ରଖିବା ଆମ ସମସ୍ତଙ୍କର ସାମାଜିକ ଦାଇତ୍ୱବୋଧ ହେବା ଆବଶ୍ୟକ ବୋଲି ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ । ସମସ୍ତଙ୍କର ଇଚ୍ଛାଶକ୍ତି, ସହଭାଗୀତା ଯୋଗୁଁ ପରିବାର ତଥା ସମାଜ ତମାଖୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ସମାଜ ଓ ପରିବାରର ଉନ୍ନତି ସମ୍ଭବ ହୋଇପାରିବ । ଫଳରେ ରାଜ୍ୟ ସରକାର ସ୍ୱାସ୍ଥ୍ୟର ବିକାଶ ପାଇଁ ଖର୍ଚ୍ଚ କରୁଥିବା କୋଟି କୋଟି ଅର୍ଥର ଭାର କମିଯାଇପାରିବ । ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ ଦ୍ୱାରା ତମାଖୁ ସେବନ ହଟେଇବା ୨୦ ପ୍ରତିଶ ସଫଳ ହୋଇଥାଏ । କିନ୍ତୁ ତମାଖୁ ବର୍ଜନ ସଚେତନତା ଜରିଆରେ ୮୦ ପ୍ରତିଶତ ସଫଳତା ମିଳିଥାଏ । ତେଣୁ ସଚେତନତା ହିଁ ତମାଖୁ ବ୍ୟବହାରକୁ ଦୂରେଇବାରେ ଅମୋଘ ଅସ୍ତ୍ର ବୋଲି ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ । ପ୍ରରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତମାଖୁରେ ରହିଛି ୪ ହଜାରରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ । ଏହାର ସେବନ ଦ୍ୱାରା ମୁହଁ, ଜିଭ, ଗାଲ, ସ୍ୱରତନ୍ତ୍ର ଭଳି ଅଙ୍ଗ ନଷ୍ଟ ହୁଏ ବୋଲି ସେ ପ୍ରକାଶ କରିଥିଲେ । ନିଶା ସେବନ କଲେ ତାହାର ନିକୋଟିନ, ଟକ୍ସିନ ଫୁସ୍ଫୁସ୍ ପ୍ରଭୃତିର କ୍ଷତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଆଲୋକପାତ କରିଥିଲେ । ପୋଲିସ ବିଭାଗ କୋଟପା ଆଇନକୁ କଡାକଡି ଲାଗୁ କରିବା ତଥା ସର୍ବସାଧାରଣ ସ୍ଥାନ, ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାନ, ଗୁଟଖା, ତମାଖୁ ସେବନ ନିଷେଧ ସମ୍ପର୍କିତ ବିଜ୍ଞପ୍ତି ତଥା ନିର୍ଦ୍ଦେଶନାମା ଜାରି କରିବା ବିଷୟରେ ଆଲୋଚନା କରାଯାଇଥିଲା । ତମାଖୁ ସେବନ କଲେ ମୁଖଗହ୍ୱର କର୍କଟ ପ୍ରଭୃତି ମାରାତ୍ôମକ ରୋଗରେ ପୀଡିତ ହୋଇ ତମାଖୁ ସେବନକାରୀର ମୃତ୍ୟୁ ଘଟିଥାଏ ବୋଲି ସେ କହିଥିଲେ । ଏ ବର୍ଷ କେନ୍ଦ୍ରାପଡା ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ୧୨୦ ଜଣ ଜନ ପ୍ରତିନିଧିଙ୍କୁ ସାମିଲ କରିବାର ଯୋଜନା ରଖାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ପଲ୍ଲି ସଭା/ ସମିତି ସଭାମାନଙ୍କରେ ଜନ ପ୍ରତିନିଧିମାନଙ୍କ ଦ୍ୱାରା ତମାଖୁ ବର୍ଜନ ଆଦି ସଚେତନତା କାର୍ଯ୍ୟକ୍ରମ କରିବାକୁ କମିଟି ବୈଠକରେ ପରାମର୍ଶ ଦିଆଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୦୯ ଜଣଙ୍କୁ ତମାଖୁ ମୁକ୍ତ କରାଯାଇପାରିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଡ୍ରଗ ଇନିସପେକଟର ପ୍ରଦୀପ କୁମାର ସାହୁ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, କେନ୍ଦ୍ରାପଡା ଅନିରୁଦ୍ଧ ବେହେରା, ଅବକାରୀ ନିରୀକ୍ଷକ କାଳନ୍ଦୀ ଚରଣ ବେହେରା, ଡି.ପି.ଏମ. ଗୀତାଞ୍ଜଳି ଦାସ, ନେଚର୍ସ କ୍ଲବ ସ୍ୱେଚ୍ଛାସେବୀ ସଂଗଠନର ବିରାଜା ପତି ଓ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଶ୍ୟାମସୁନ୍ଦର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


