ବଳଦେବ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡକ୍ରସ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଳଦେବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀଙ୍କ ତତ୍ୱାବଧାନରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ପବିତ୍ର ଜନ୍ମଦିନରେ ତାଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ରେଡକ୍ରସ ଜୁନିଅରମାନଙ୍କ ଦ୍ୱାରା ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ପ୍ରାକ୍ତନ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରାଧିକାରୀ ବ୍ରଜସୁନ୍ଦର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ୭ଟି ମୈାଳିକ ନୀତି ଓ ସ୍ୱେଛାକୃତ ସେବା ପ୍ରଦାନ ସମ୍ପର୍କରେ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ ହେନେରୀ ଡୁନାଣ୍ଟଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସାଧନକର୍ମୀ ବରିଷ୍ଠ ଶିକ୍ଷକ ତପନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ପ୍ରଜ୍ଞାସ୍ମୀତା ନାୟକ ଓ ଶିକ୍ଷା କର୍ମଚାରୀ କଳ୍ପନା ଲେଙ୍କା ସହଯୋଗ କରିଥିଲେ । ନବମ ଶ୍ରେଣୀ ଛାତ୍ର ଆଦିତ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


