ମାନବାଧିକାର କର୍ମୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ସରପଞ୍ଚ
ହାଟଡିହିି, (ବିକାଶ ବିଶ୍ୱାଳ):ମାନବାଧିକାର କର୍ମୀ ହିମାଶୁଂ ନାୟକଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶାଳଣିଆଁ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଜେନା । ତାଙ୍କ ଅଭିଯୋଗ ଅନୁଯାଇ ସେ ଗତ ୧୩ତାରିଖ ଦିନ ହାଟଡିହି ବ୍ଲକକୁ ଯାଉଥିବାବେଳେ କୌଣସି କାରଣରୁ ଚଣ୍ଡି ବିରଞ୍ଚିପୁର ଛକ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ ସୋଲପଟା ଗ୍ରାମର ହିମାଶୁଂ ନାୟକ ସେଠାରେ ପହଞ୍ଚି ୧୦ହଜାର ଟଙ୍କା ମାଗିବା ସହିତ ଟଙ୍କା ନଦେଲେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ଉପରେ ଆର.ଟି.ଆଇ ରେ ତଥ୍ୟ ମାଗି ପଞ୍ଚାୟତର କିଛି କାମ କରାଇ ଦେବୁନି ବୋଲି କହିଥିଲେ । ସରପଞ୍ଚ ସୁମିତ୍ରା ଜେନା ତାଙ୍କୁ ଏପରି କାମରୁ ନିବୃତ ରହିବାକୁ କହିବାରୁ ହିମାଶୁଂ ଜାତିଆଣା ଆକ୍ଷେପ କରି ଗାଳି ଗୁଲଜ କରିଥିବା ନେଇ ସୁମିତ୍ରା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନା ପକ୍ଷରୁ କେସନଂ-୧୧୮ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ହିମାଶୁଂ ନାୟକଙ୍କୁ ପଚାରିବାରେ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ମୁଁ ଶାଳଣିଆଁ ପଞ୍ଚାୟତରେ ମାଟି ଚୋରୀ ଅଭିଯୋଗ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେମାନେ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ହିମାଶୁଂ କହିଛନ୍ତି ।


