ନିମ୍ନମାନର ନଦୀ ଗୋଡା କାର୍ଯ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଜଳସମ୍ପଦ ବିଭାଗ ଅଧିନରେ ରହିଥିବା ନଦୀବନ୍ଧ ଓ କେନାଲ ରାସ୍ତା ଗୁଡିକର ଏବେ ମରାମତି କାର୍ଯ୍ୟ ହେଉଛି। କେଉଁଠି ପିଚ କାମ ତ ପୁଣି କେଉଁଠି ମୋରମ ମେଣ୍ଟାଲ ଵିଛାଯାଇ ରାସ୍ତା ମରାମତି କାର୍ଯ୍ୟ କରାଯାଉଥିବା ବେଳେ ପୁଣି କେଉଁଠି ନଦୀବନ୍ଧରେ ଗୁଳ୍ମଲତା ସଫା କରାଯାଇ ନଦୀ ଗୋଡା ତିଆରି କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇ କାମ ଦିଆଯାଉଥିବା ବେଳେ ତଦାରଖ ଅଭାବରୁ ଠିକାଦାର ଅନେକ ସ୍ଥାନରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଛି। ଅଭିଯୋଗ ମୁତାବକ ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧର ଜଗନ୍ନାଥପ୍ରସାଦ, ବାଲିପୋଖରୀ, କୁମ୍ଭାରୀଆ, କୋରକରା ପ୍ରମୁଖ ସ୍ଥାନରେ ପ୍ରାୟ୬ଗୋଟି ଗୋଡା ତିଆରି ହେଉଛି। ଏହାଛଡା ବନ୍ଧର ଉଭୟ ପାର୍ଶ୍ୱ ଲତାଗୁଳ୍ମ ମଧ୍ୟ ସଫା ହେଉଛି। ଏଥିପାଇଁ ଜନୈକ ଠିକାଦାରକୁ ପ୍ରାୟ ୩୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ବାସ୍ତବ କ୍ଷେତ୍ରରେ କାମ କିନ୍ତୁ ଶତ ପ୍ରତିଶତ ହେଉନଥିବା ଜଣାଯାଇଛି। ଆଖୁଆପଦା ଠାରୁ ବଳିଘାଇ ପୋଲ ଯାଏଁ ବନ୍ଧର ଉଭୟ ପାର୍ଶ୍ୱକୁ ଅତି ତରବରିଆ ଭାବେ କିଛିଦିନ ପୂର୍ବରୁ ସଫା କରାଯାଇଥିବା ବେଳେ ବର୍ଷା ହେବାରୁ ସେଗୁଡିକ ପୁଣି ବଣବୁଦାର ରୂପ ନେବାକୁ ବସିଲାଣି। ଏପରିକି ଛୋଟ ଛୋଟ କଣ୍ଟା ଗଛ ଗୁଡିକର କେବଳ ପତ୍ର ଛିଡିଥିବା ବେଳେ ମୂଳ ଛିଡି ନଥିବାରୁ ଆଉ କିଛି ଦିନ ପରେ ନଦୀବନ୍ଧର ଉଭୟ ପାର୍ଶ୍ଵରେ ପୁଣି ବଣବୁଦା ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି। ସେହିଭଳି ଗ୍ରାମବାସୀ ମାନେ ସୁଚାରୁରୂପେ ନଦୀବନ୍ଧକୁ ଆସିବା ପାଇଁ ନିର୍ମାଣ ହେଉଥିବା ଗୋଡାର କାର୍ଯ୍ୟ ଅତି ନିକୃଷ୍ଟମାନର ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ଯନ୍ତ୍ରୀ କାର୍ଯ୍ୟ କ୍ଷେତ୍ରରେ ରହୁନଥିବାରୁ ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ। କିଛି ଅପମିଶ୍ରିତ ମେଣ୍ଟାଲ ସହିତ ବେନାମୀ କମ୍ପାନୀର ସିମେଣ୍ଟ ବ୍ୟବହାର ହୋଇ ଗୋଡା ନିର୍ମାଣ ପାଇଁ ଢଳେଇ ପଡୁଥିବା ବେଳେ ନିର୍ମାଣ ପରବର୍ତ୍ତୀ ସମୟରେ ଆବଶ୍ୟକ ପରିମାଣର ପାଣି ବ୍ୟବହାର ହେଉନଥିବା ଅଭିଯୋଗ ହୋଇଛି। ଏପରିକି କାମର ନିକୃଷ୍ଟତାକୁ ଲୁଚେଇବାକୁ ଯାଇ ଉପରେ ସିମେଣ୍ଟ ଘୋଳା ଲିପା ଯାଉଥିବା ଦେଖାଯାଇଛି। ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି।


