ବ୍ଲକ ଦୌଡି ଦୌଡି ନୟାନ୍ତ ହିତାଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକରେ ଗରିବ ହିତାଧିକାରୀ ମାନେ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ପୁର୍ବରୁ ନିୟମିତ ଭତ୍ତା ପାଉଥିବାବେଳେ ଏକାଉଣ୍ଟକୁ ଯିବାଦିନ ଠାରୁ ଭତ୍ତା ପାଇବାରେ ବିଫଳ ହେଉଛନ୍ତି । ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ପରିକ୍ଷିତ ଜେନା ନାମକ ଜଣେ ବୃଦ୍ଧ ହିତାଧିକାରୀ ଗତ ମାର୍ଚ୍ଚ ମାସଠାରୁ ୪ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ । ସେ ବାରମ୍ବାର ବ୍ଲକକୁ ଆସି ଜଣାଇବା ପରେ ଗତ ଜୁଲାଇ ମାସରୁ ତାଙ୍କ ଏକାଉଣ୍ଟକୁ ଠିକ ଭାବେ ଭତ୍ତା ଟଙ୍କା ଯାଉଛି । କିନ୍ତୁ ମାର୍ଚ୍ଚ ମାସଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ମାସର ଭତ୍ତା ଟଙ୍କା ପରିକ୍ଷିତ ସାହୁ ନାମକ ଜଣେ ମୃତ ବ୍ୟକ୍ତିଙ୍କ ଏକାଉଣ୍ଟକୁ ପଳାଇ ଯାଇଥିବାରୁ ବିଚରା ହିତାଧିକାରୀ ଜଣକ ନାନା ଅସୁବିଧା ଭୋଗ କରୁଛନ୍ତି । ସେ ବାରମ୍ବାର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି କିନ୍ତୁ ବକେୟା ଟଙ୍କା ପାଉ ନାହାନ୍ତି । ଖାଲି ଏହି ବ୍ୟକ୍ତି ଜଣକ ନୁହଁନ୍ତି ସୁଲୋଚନା ଜେନାଙ୍କ ଭତ୍ତା ଟଙ୍କା ଭିନ୍ନ ଜଣେ ସୁଲୋଚନାଙ୍କ ନାମରେ ଯାଇଥିବାବେଳେ ଆଦିକନ୍ଦ ଖଣ୍ଡାଙ୍କ ଭତ୍ତା ଟଙ୍କା ସୁବାସ ଚନ୍ଦ୍ର ଜେନାଙ୍କ ଏକାଉଣ୍ଟକୁ ଯାଇଛି । ସେହିପରି ଖୋଲଣା ବିଶ୍ୱାଳଙ୍କ ଭତ୍ତା ଟଙ୍କା ବିଜୟଲକ୍ଷ୍ମୀ ଜେନାଙ୍କ ଏକାଉଣ୍ଟକୁ, ବେଲ ବେଦାନ୍ତଙ୍କ ଭତ୍ତା ଟଙ୍କା ବିଣାପାଣି ଜେନାଙ୍କ ଏକାଉଣ୍ଟକୁ, ସୁଲୋଚନା ମାଝୀଙ୍କ ଭତ୍ତା ଟଙ୍କା ଶାନ୍ତିଲତା ସାହାଙ୍କ ଏକାଉଣ୍ଟକୁ, ସୁନାଫୁଲ ସାହୁଙ୍କ ଭତ୍ତା ଟଙ୍କା ଶକୁନ୍ତଳା ମହାନ୍ତିଙ୍କ ଏକାଉଣ୍ଟକୁ, ରୁକ୍ମଣୀ ସାହୁଙ୍କ ଭତ୍ତା ଟଙ୍କା ଅନିତାରାଣୀ ବିଶ୍ୱାଳଙ୍କ ଏକାଉଣ୍ଟକୁ, ଶ୍ୟାମ ସୁନ୍ଦର ନନ୍ଦଙ୍କ ଭତ୍ତା ଟଙ୍କା କୌଶଲ୍ୟା ଦାସଙ୍କ ଏକାଉଣ୍ଟକୁ ଏବଂ ପାତି ଖଟୁଆଙ୍କ ଭତ୍ତା ଟଙ୍କା ସୁଲୋଚନା ଖଟୁଆଙ୍କ ଏକାଉଣ୍ଟକୁ ଚାଲି ଯାଇଛି । ଏନେଇ ହିତାଧିକାରୀ ମାନେ ବାରମ୍ବାର ବ୍ଲକକୁ ଆସି ଜଣାଇବା ପରେ ବ୍ଲକ କର୍ତ୍ତୁପକ୍ଷ ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର କର୍ତ୍ତୁପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଟଙ୍କା ଫେରସ୍ତ କରାଇ ପ୍ରକୃତ ଏକାଉଣ୍ଟରେ ଦେବାକୁ ଚିଠି କରିଛନ୍ତି । ଗତ ଅଗଷ୍ଟ ମାସରୁ ବିଡିଓ ଚିଠି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଇ ନଥିବା ହିତାଧିକାରୀମାନେ କହିଛନ୍ତି ।