ପରମ୍ପରା ନାମରେ ଚାଲିଛି ଜୁଆଖେଳର ଆସର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ପ୍ରାୟତଃ ସମସ୍ତ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଚାଲିଛି ପରମ୍ପରା ନାଁ ରେ ଜୁଆର ଆସର । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ପୁଲିସ ମଧ୍ୟ ଏହି ବେଆଇନ ଜୁଆ ଖେଳ ରୋକିବାକୁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖିଛି । ବିଶେଷ କରି ପାର୍ବଣଋତୁ ବା ଦଶହରା ଆସିଲେ ଗଞ୍ଜାମ ଜିଲ୍ଲା ହୋଇ ଉଠୁଛି ଚଳଚଞ୍ଚଳ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ଚାଲୁଛି ଜୁଆ ଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାରପୁର୍ଣ୍ଣିମା ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇଥାନ୍ତି ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି । କାଳକ୍ରମେ ତାସ ଖେଳର ଏହି ପରମ୍ପରା ଜୁଆରେ ପରିଣତ ହୋଇସାରିଛି । କିଛି ଲୋକଙ୍କ ପାଇଁ ଏହା ନିଶା ପାଲଟି ଯାଇଥିବାର ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତିବିଶେଷ ତାସ କଖଳ ପ୍ରତି ଆସକ୍ତ ହୋଇ ପଡୁଛନ୍ତି ।ଏପରିକି ବହୁ ସମୟରେ ବହୁ ଜୁଆଡ଼ି ନିଜର ସର୍ବସ୍ୱ ହରାଇ ରାସ୍ତାର ଭିକାରି ପାଲଟି ଯାଇଥିବାର ନଜିର ରହିଛି । କିଛି ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୁତ୍ରପାତ ହେଉଥିବା ବେଳେ ଅନ୍ୟକିଛି ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ମଧ୍ୟ ନଜିର ରହିଛି । କେବଳ ଯେ ଦଶହରା ବା ଆଶ୍ୱିନ ମାସ ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ଜୁଆ ଖେଳ ଚାଲୁଥିବାର ନଜିର ରହିଛି । ଆଶ୍ୱିନ ମାସ ଆରମ୍ଭରୁ ହିଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ହିଞ୍ଜିଳି ଥାନାର କିଛି ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ବେଳେ ବହୁ ଜୁଆଡ଼ିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି । ଅପରାଧ ଦୁନିଆ ସହ ଜଡ଼ିତ କିଛି ଅସାମାଜିକ ବ୍ୟକ୍ତି ଜୁଆ ଆଡ୍ଡା ଆୟୋଜନ କରୁଥିବାର ଜଣାପଡ଼ିଛି । ପରିତ୍ୟକ୍ତ ସ୍ଥାନ, ନିଛାଟିଆ ଘର ମଧ୍ୟରେ, ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଜମୁଥିବାର ଦେଖିବାକୁ ମିଳୁଛି । ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଘଟଣା ଉପରେ ଗୁରୁତ୍ବ ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


