ସୂଚନା ଅଧିକାର ଆଇନକୁ ମାନୁନାହାନ୍ତି ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜୈନିକ ସାମାଜିକ କର୍ମୀ ଗତ ମେ ମାସ ୬ରେ ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଗୁଡିକ ସମ୍ବନ୍ଧରେ କିଛି ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମାଗିଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ତଥ୍ୟ ଯୋଗାଇ ଦେବାକୁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବ୍ଳକ ଶିକ୍ଷାଧିକାରୀଙ୍କ ଜନ ସୂଚନା ଅଧିକାରୀଙ୍କ ପକ୍ଷରୁ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ପ୍ରଦାନ ନ କରିବା କିମ୍ବା ଭୟଭୀତ କରିବା ପରି ପତ୍ର ସଂଖ୍ୟା -୧୦୨୨/୨୦ମେ ୨୦୨୩ ରେ ତଥ୍ୟର ଜେରକ୍ସ ଓ ପଂଜୀକରଣ ବାବଦକୁ ୫୩୨୦ଟଙ୍କା ଦାଖଲ କରିବା ପାଇଁ ଦର୍ଶାଯାଇଛି । ନିୟମାନୁସାରେ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ପ୍ରଦାନ ପାଇଁ କେତେ ପୃଷ୍ଠା ସମ୍ବଳିତ ଜେରକ୍ସ କରାଯିବ ସେ ସବୁର ସବିଶେଷ ତଥ୍ୟ ପ୍ରଦାନ କରାଯିବା କଥା । କିନ୍ତୁ ଉକ୍ତ ପତ୍ରରେ କୌଣସି ତଥ୍ୟ ଦର୍ଶାଯାଇନାହିଁ । ଯାହାଫଳରେ ସଂପୃକ୍ତ ସୂଚନା ଅଧିକାରୀ କର୍ମୀ ସୂଚନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପ୍ରଥମ ଅପିଲ କତୃପକ୍ଷଙ୍କ ନିକଟରେ ଜୁନ୍ ମାସ ୧୬ରେ ଆବେଦନ କରିଥିଲେ । ପ୍ରଥମ ଅପିଲ କତୃପକ୍ଷ ବ୍ଳକ ପ୍ରଥମ ଅପିଲ କତୃପକ୍ଷଙ୍କୁ ଅଭିଯୋଗ ଶୁଣାଣି କରିବା ପାଇଁ ପତ୍ର ସଂଖ୍ୟା-୬୮୬୯ ତା ୬ ଜୁଲାଇ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରଥମ ଅପିଲ କତୃପକ୍ଷଙ୍କ ନିର୍ଦ୍ଦେଶକୁ ୩ମାସ ପୁରିବାକୁ ବସିଥିଲେ ହେଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପ୍ରଥମ ଅପିଲ କତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ । ଯାହାଫଳରେ ସୂଚନା ଅଧିକାର କର୍ମୀ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି । ତଥ୍ୟ ପ୍ରଦାନର ଶୁଣାଣୀ ସମ୍ବନ୍ଧରେ ପ୍ରଥମ ଅପିଲ କତୃପକ୍ଷ ତଥା ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ