ସେଚ ପ୍ରକଳ୍ପ ଜନିତ ଅଭିଯୋଗ ଶୁଣାଣୀ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଚାଷ ଜମିକୁ ଜଳ ଯୋଗାଣ କ୍ଷେତ୍ରରେ ମୁଖ୍ଯ.ମନ୍ତ୍ରୀଙ୍କୁ ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଶୁଣାଣୀର ପଦକ୍ଷେପ ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଗୁରୁବାର ସମୀକ୍ଷା କରିଥିଲେ । ଚଳିତଖରୀଫ୍ ଚାଷ ସକାଶେ ଆବଶ୍ଯକୀୟ ବର୍ଷା କମ୍ ପରିମାଣରେ ହୋଇଛି । ଚାଷ ଜମିକୁ ଜଳ ଯୋଗାଣର ଆବଶ୍ୟକତା ରହିଛି । ଚାଷୀଙ୍କ ଜମିକୁ ଜଳ ଯୋଗାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ସମୁଦାୟ ୧୭୯ ଗୋଟି ଆବେଦନ ହସ୍ତଗତ ହୋଇଛି । ଏହି ସମସ୍ତ ଆବେଦନ ଗୁଡିକ ତର୍ଜମା କରି ସଂପୃକ୍ତ ଜଳ ସେଚନ ବିଭାଗ ଗୁଡିକୁ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରେରଣ କରାଯାଇଥିଲା । ସେହି ସମସ୍ତ ଆବେଦନ ଗୁଡିକୁ ବିଚାରକୁ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଅଛି ସେ ସମ୍ପର୍କରେ ଗୋଟି ଗୋଟି ଆବେଦନର ସମୀକ୍ଷା କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର,ଚିକିଟି ଓ ଭଞ୍ଜନଗର ଜଳସେଚନ ଡିଭିଜନ୍, ଶେରଗଡ ସକାଶେ ହରଭଙ୍ଗୀ ପ୍ରକଳ୍ପ ବ୍ରହ୍ମପୁର ଏକ, ଦୁଇ ଡିଭିଜନ୍ ଏବଂ ଭଞ୍ଜନଗର ଡିଭିଜନ୍, ବ୍ରହ୍ମପୁର ଡିଭିଜନ୍ ସକାଶେ ଉଠା ଜଳ ସେଚନ, ବୃହତ୍ ଉଠା ଜଳ ସେଚନ,ବ୍ରହ୍ମପୁର କେନାଲ ଡିଭିଜନ୍, ବ୍ରହ୍ମପୁର କାଡା ଇତ୍ଯାଦି ଦ୍ବାରା ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳ ଚାଷ ଜମିକୁ ଜଳ ଯୋଗାଣ ବ୍ଯବସ୍ଥା କରାଯାଉଅଛି । ଜିଲ୍ଲାପାଳ ଶ୍ରୀ ପରିଡା ସମୀକ୍ଷା କରି ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ଅବଗତ କରାଇଥିଲେଯେ, ବର୍ଷା ଅଭାବଜନିତ ଚାଷ ଜମିକୁ ଜଳ ଯୋଗାଣର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ଜରୁରୀ । ଏହାକୁ ଗୁରୁତ୍ବ ସହକାରେ ଗ୍ରହଣ କରିବାକୁ ଜଣାଇ କର୍ଯ୍ୟଗୁଡିକ ଯଥାଶୀଘ୍ର ତ୍ବରାନ୍ବୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚାଷ ଜମିକୁ ଜଳ ଯୋଗାଣର ସ୍ଥାୟୀ ସମାଧାନ ଦିଗରେ ଯେଉଁ ସବୁ ପ୍ରକଳ୍ପ କରିବାକୁ ରହିଛି ତାହା ବିଭାଗର ଅନୁମୋଦନ ସକାଶେ ଅବିଳମ୍ବେ ଡିପିଆର୍ ପ୍ରସ୍ତୁତ କରି ପଠାଯାଉ । କେତେଗୋଟି ଅଭିଯୋଗ ଗୁଡିକର ଡିପିଆର୍ ପ୍ରସ୍ତୁତ ହୋଇ ସାରିଛି ତାହା ଆସନ୍ତା ଆର୍ଥିକ ବର୍ଷରେ ଯେପରି କାର୍ଯ୍ୟକ୍ଷମ ହେବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ । ଅଭିଯୋଗ ପତ୍ର ଗୁଡିକର ପଦକ୍ଷେପ ଏବଂ କେଉଁ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅବଗତ କରାଇ ସେମାନଙ୍କ ଅଭିଯୋଗ ପତ୍ରର ସ୍ଥିତି କଣ ରହିଛି ସେହି ସମ୍ପର୍କରେ ଅଭିଯୋଗକାରୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୧୫ ଦିନ ମଧ୍ଯରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ଯେଉଁଠାରେ କୌଣସି ବୈଷୟିକ ସମସ୍ୟା ଦେଖାଯାଉଛି ସେଗୁଡିକ ନଭେମ୍ବର ମାସ ଶେଷ ସୁଦ୍ଧା ସମାଧାନ କରିବା ନିମନ୍ତେ ବିଭାଗକୁ ପଠାଇବାକୁ କହିଥିଲେ । ଅଭିଯୋଗ ପତ୍ରଗୁଡିକର ୫୦ ପ୍ରତିଶତ ସମାଧାନ ସମୀକ୍ଷା ବୈଠକରେ ହୋଇ ଥିବା ଜିଲ୍ଲାପାଳ ଅବଗତ କରାଇଥିଲେ ।ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କିର୍ତ୍ତୀ ଭାସନ୍ ଭି., ବ୍ରହ୍ମପୁର ଜଳ ସେଚନ ବିଭାଗୀୟ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଇଂ ଜୟଦୀପ ପଣ୍ଡା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନଂ-୧ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଇଂ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଇଂ ସୁରଜ, ସମସ୍ତ ଜଳ ସେଚନ ପ୍ରକଳ୍ପ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ,ଏସ୍.ଡି.ଓ. ଏବଂ ଅନ୍ୟାନ୍ଯ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ