ଶ୍ରୀ ଜିୟୁ ମାନଙ୍କ ପହିଲି ଭୋଗ ନୀତି
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠାରୁ ମକର ସଂକ୍ରାନ୍ତି ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀ ମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ ” ପହିଲି ଭୋଗ ” ନୀତି ଅନୁଷ୍ଠିତ ହେବ । ଲୋକବିଶ୍ୱାସ ଅନୁସାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ମହାଲକ୍ଷ୍ମୀ ସ୍ୱ ପିତ୍ରାଳୟ କୁ ଗମନ କରିଥାନ୍ତି । ମାଆ ପିତ୍ରାଳୟ ଯାତ୍ରା କରିଥିବାରୁ ସ୍ନେହମୟୀ ମାଆ ଯଶୋଦା କାଉ କା ନ କରିବା ପୂର୍ବରୁ ବିଭିନ୍ନ ସୁମିଷ୍ଟ ପିଷ୍ଟକ ପ୍ରସ୍ତୁତ କରି ନିଜ ଏକୋଇର ବଳା ପୁତ୍ରଙ୍କୁ ଭୁଞ୍ଜାଇଥାନ୍ତି । ଯାହା ”ପହିଲିଭୋଗ” ନାମରେ ପ୍ରସିଦ୍ଧ । ଏହା ଦ୍ୱାପର କାଳୀନ ଗୋପଲୀଳାର ପରିପ୍ରକାଶ । ଏହି ପହିଲି ଭୋଗ ରେ ଶ୍ରୀ ଜିୟୁ ମାନଙ୍କୁ ବଡ଼ ଝିଲ୍ଲୀ, ଦରସୁଆ, ବଡ଼ି, ଏଣ୍ଡୁରୀ, ଦରସୁଆ ଝିଲ୍ଲୀ, ବଡ଼ବଡ଼ା, କାକେରୀ, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୂଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ସୁମିଷ୍ଟ ଭୋଗ ଅର୍ପଣ କରାଯାଇଥାଏ ।


